ନବରଙ୍ଗପୁର:ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । ସାନ ଭାଇ ଓ ପୁତୁରାର ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି । ତେବେ ମୃତ ବ୍ୟକ୍ତି ଜଣକ ହେଲେ ମଧୁ ବିଶ୍ବାଳ ।
ସୂଚନା ଅନୁଯାୟୀ, ଘାଟଗୁଡ଼ା ଗ୍ରାମର ମଧୁ ବିଶ୍ବାଳ ଓ ସାନ ଭାଇ ନରସିଂହ ପାଇକ ମଧ୍ୟରେ ବହୁ ଦିନ ହେଲା ଜମିକୁ ନେଇ ବିବାଦ ଲାଗି ରହିଥିଲା । ବଡ଼ ଭାଇ ଅଧିକ ଜମି ରଖିଥିବା ନେଇ ସବୁ ବେଳେ ପୁତୁରା ଓ ଭାଇ ଆମକୁ ଆହୁରି ଜମି ଦିଅ କହି ଗଣ୍ଡଗୋଳ କରୁଥଲେ । ଗତକାଲି ସନ୍ଧ୍ୟାରେ ଏହାକୁ କେନ୍ଦ୍ର କରି ମଧୁ, ନରସିଂହ ଓ ପୁତୁରା ନୀଳକଣ୍ଠ ପାଇକଙ୍କ ମଧ୍ୟରେ ପୁନଃ ଝଗଡ଼ା ହୋଇଥିଲା । ଏନେଇ ବଡ଼ ଭାଇଙ୍କ ସହିତ ବଚସା ହେବା ସମୟରେ ହାତାହାତି ଭଳି ପରିସ୍ଥିତି ଉପୁଜିଥିଲା । ବଡ଼ ଭାଇ ମଧୁ ବିଶ୍ୱାଳ ସହିତ ସାନ ଭାଇ ନରସିଂହ ପାଇକ ଓ ପୁତୁରା ନୀଳକଣ୍ଠ ଠେଲା ପେଲା ହେବା ବେଳେ ମଧୁ ତଳେ ପଡିଯାଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେ ଗୁରୁତର ହୋଇ ପଡିଥିଲେ ।
ତାଙ୍କୁ ତୁରନ୍ତ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ପାପଡ଼ାହାଣ୍ଡି ଥାନାରେ କେଶ୍ ନଂ- ୧୨୩/୨୩ ଅନୁଯାୟୀ ମାମଲା ରୁଜୁ କରାଯାଇ ଥିବା ବେଳେ ଅଭିଯୁକ୍ତ ନରସିଂହ ଓ ନୀଳକଣ୍ଠକୁ ଗିରଫ କରାଯାଇଥିବା ତଦନ୍ତକାରୀ ଅଧିକାରୀ ରାମେଶ୍ଵର ପ୍ରଧାନ ସୂଚନା ଦେଇଛନ୍ତି ।