ନବରଙ୍ଗପୁର: ଦୋକାନ ପାଇଁ ଜିନିଷ ଆଣିବାକୁ ଯାଇ ଆଉ ଫେରିଲେନି ବ୍ୟବସାୟୀ । ଯିବାବେଳେ ପିଟିଦେଲା ରାସ୍ତାକାମରେ ନିୟୋଜିତ ଜେସିବି । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ବିଏମ୍ ସେମଳା ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ।
ମୃତକ ସେହି ଗ୍ରାମର ଦେବେନ୍ଦ୍ର ମାଳି ବୋଲି ଜଣାପଡ଼ିଛି । ସେ ନିଜ ଦୋକାନ ପାଇଁ ସାମାନ ଆଣିବାକୁ କୋଷାଗୁମୁଡାକୁ ବାଇକ ଯୋଗେ ଯାଉଥିଲେ । ସେହି ସମୟରେ ରାସ୍ତା କାମରେ ନିୟୋଜିତ ଜେସିବି ତାଙ୍କୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।