ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ନବରଙ୍ଗପୁର:ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ । ହତ୍ୟାକାଣ୍ଡର ଦୁଇ ବର୍ଷ ପରେ ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ନବରଙ୍ଗପୁର ଜିଲ୍ଲା ଦୌରା ଜର୍ଜ ସଞ୍ଜୀବ ଦୁବେ । ଏହାସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ହେଲେ ତେବେ ଆଉ ଏକ ବର୍ଷ କାରାଦଣ୍ଡ ନେଇ ରାୟ ପ୍ରକାଶ କରିଛନ୍ତି ନବରଙ୍ଗପୁର କୋର୍ଟ ।
ସୂଚନା ମୁତାବକ, 18 ନଭେମ୍ବର 2021 ତାରିଖ ରାତି 8.30ରେ ପାପଡ଼ାହାଣ୍ଡି ଥାନା ଗାଦବାକତରା ଗ୍ରାମର ସନ୍ୟାସୀ ଯାନୀ ବାରଣ୍ଡାରେ ବସି ଖାଉଥିଲେ । ସେହି ସମୟରେ ପଡ଼ୋଶୀ ପ୍ରହଲ୍ଲାଦ ଯାନୀ ଓ ତାର ସ୍ତ୍ରୀ ମିଶି ସନ୍ୟାସୀଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗାରେ ମାଡ଼ ମାରିଥିଲେ । ଫଳରେ ସନ୍ୟାସୀ ସେଠାରେ ଚେତାଶୂନ୍ୟ ହେବା ଦେଖି ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ପରିବାର ଲୋକେ ସନ୍ୟାସୀକୁ ଉଦ୍ଧାର କରି ପାପଡାହାଣ୍ଡି ଚିକିତ୍ସାଳୟ କୁ ଆଣିଥିଲେ ।
ଏହା ମଧ୍ୟ ପଢନ୍ତୁ- ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା, ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ
ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ସନ୍ୟାସୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସନ୍ୟାସୀଙ୍କ ପୁଅର ଲିଖିତ ଏତଲା ଆଧାରରେ ଅଭିଯୁକ୍ତକୁ ପାପଡାହାଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯାହାକୁ ନେଇ ଗତକାଲି ନବରଙ୍ଗପୁର ଜିଲ୍ଲା ଦୌରା ଜର୍ଜ ସଂଜୀବ ଦୁବେ ମାମଲାର ଶୁଣାଣି କରିଛନ୍ତି । 18 ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ୨୫ବର୍ଷ ପୂର୍ବେ ପୋଲିସ ଅଧିକାରୀଙ୍କୁ ହତ୍ୟା: ଛତ୍ରପୁର ପୂର୍ବତନ ବିଧାୟକଙ୍କ ସମେତ ୧୩ ଜଣଙ୍କୁ ୨୦ବର୍ଷ କାରାଦଣ୍ଡ
ପ୍ରକାଶ ଥାଉକି, ଗତ ଜୁଲାଇ ମାସରେ ଟାଟା ଆନ୍ଦୋଳନ ସମୟରେ ପୋଲିସ ଅଧିକାରୀଙ୍କୁ ହତ୍ୟା ଘଟଣାର ୨୫ ବର୍ଷ ପରେ ରାୟ ପ୍ରକାଶ ପାଇଥିଲା । ଏନେଇ ଛତ୍ରପୁର ପୂର୍ବତନ ବିଧାୟକଙ୍କ ସମେତ 13ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ 20 ବର୍ଷର ସଶ୍ରମ ଦଣ୍ଡାଦେଶ ଶୁଣାଇଥିଲେ ADJ-3 କୋର୍ଟ । ତତ୍କାଳୀନ ଗଣସଂଗ୍ରାମ ସମିତିର ନେତା ତଥା ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୨୫ ବର୍ଷ ପୂର୍ବେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ସିନ୍ଦିଗାଁରେ ଏହି ହତ୍ୟାକାଣ୍ଡ ହୋଇଥିଲା ।
ଇଟିଭି ଭାରତ, ନବରଙ୍ଗପୁର