ଓଡିଶା

odisha

ETV Bharat / state

ବିଶ୍ବାସରେ ଭଗବାନ, ଝରିଗାଁରେ ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲି ବାହାଘର - ବେଙ୍ଗ ବାହାଘର

ଶ୍ରାବଣରେ ବର୍ଷା ଗାଏବ ହୋଇଛି । ଯେଉଁ ସମୟରେ ବର୍ଷା ପାଣିରେ ଜମି ଭର୍ତ୍ତି ହେବା କଥା ସେବେ ଜମି ଶୁଖି ଆଁ କରିଛି । ତେଣୁ ଇନ୍ଦ୍ର ଦେବତାଙ୍କୁ ଶୁସି କରିବାକୁ ବର୍ଷା ଆଶାରେ ବେଙ୍ଗ ବେଙ୍ଗୁଲିଙ୍କ ବିବାହ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁବାସୀ । ଅଧିକ ପଢନ୍ତୁ

frogs married off in nabarangapur
ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲି ବାହାଘର

By

Published : Jul 16, 2023, 3:37 PM IST

Updated : Jul 16, 2023, 5:15 PM IST

ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲି ବାହାଘର

ନବରଙ୍ଗପୁର:ମଣିଷ ମଣିଷ ମଧ୍ୟରେ ବିବାହ ହୁଏ । କେବେ ବେଙ୍ଗ ବିବାହ ବିଷୟରେ ଶୁଣିଛନ୍ତି କି । ହଁ ନବରଙ୍ଗପୁର ଜିଲ୍ଲା ଝରିଗାଁରେ ବେଙ୍ଗ ଓ ବେଙ୍ଗୁଲି ବିବାହ ହୋଇଛି । ପ୍ରାୟ ଏକ ମାସରୁ ଅଧିକ ହେବ ଅଞ୍ଚଳରେ ବର୍ଷା ଉଭାନ ହୋଇଛି ଯାହା ଫଳରେ ଚାଷୀ ଚିନ୍ତାରେ ରହିଛନ୍ତି । ପୂର୍ବ ପୁରୁଷରୁ ଚାଲି ଆସିଥିବା ବିଶ୍ୱାସ ଆପଣାଇ ବେଙ୍ଗ-ବେଙ୍ଗୁଲି ବିବାହ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ଗ୍ରାମବାସୀ । ବିଶ୍ୱାସ ଅଛି ବେଙ୍ଗ ବେଙ୍ଗୁଲି ବିବାହ କଲେ ବର୍ଷା ହେବ ସେଥିପାଇଁ ପାଇଁ ବହୁ ଧୁମଧାମରେ ଚାଲିଛି ବିବାହ କାର୍ଯ୍ୟ ।

ଏହା ବି ପଢ଼ନ୍ତୁଲୁଚକାଳି ଖେଳୁଛି ମୌସୁମୀ, ଶୁଖିଲା ପଡିଛି ଧାନ ବିଲ

ବେଙ୍ଗ-ବେଙ୍ଗୁଲି ବାହାଘର

ଆଦିବାସୀ ରୀତିନୀତି ଅନୁଯାୟୀ ବେଙ୍ଗ ବେଙ୍ଗୁଲିଙ୍କ ସତ ସତିକା ବାହାଘର ଚାଲିଛି । ଏହି ବାହାଘର ୯ ଦିନ ପର୍ଯ୍ୟନ୍ତ ଚାଲିବ । ଗ୍ରାମବାସୀ ପ୍ରଥମେ ସ୍ଥାନୀୟ ଠାକୁରାଣୀଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାପାଠ କରିଥିଲେ । ପରେ ଭୀମା ମନ୍ଦିରଠାରେ ଭୀମା ମୂର୍ତ୍ତିକୁ ଗାଇ ଗୋବରରେ ଲିପିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ଭୀମା ମନ୍ଦିର ନିକଟରେ ଥିବା ପୋଖରୀଠାରୁ ବେଙ୍ଗ ଏବଂ ବେଙ୍ଗୁଲି ଧରି ଦୁଇଟି ନୂଆଁ ମାଟି ହାଣ୍ଡିରେ ଅଲଗା ଅଲଗା ରଖା ଯାଇଥିଲା । ପରେ ସେମାନଙ୍କୁ ହଳଦୀ ଓ ତେଲ ଲଗାଯାଇଥିଲା । ବେଙ୍ଗକୁ ବର ଭାବେ ତାଳିଆମ୍ବା ସାହି ଲୋକ ନେଇଥିବା ବେଳେ ବେଙ୍ଗୁଲିକୁ କନ୍ୟା ଭାବେ ଶିରାଗୁଡା ସାହି ନେଇଥିଲେ । ଉଭୟ ବେଙ୍ଗ ବେଙ୍ଗୁଲି ପାଇଁ ବିବାହ ବେଦୀ କରାଯାଇଛି । ଶିରାଗୁଡା ସାହିରେ କନ୍ୟା ପକ୍ଷ ରହିଥିବା ବେଳେ ଥାଳିଆମ୍ବା ସାହି ବରପକ୍ଷ ହୋଇଛନ୍ତି ।

ହଳଦୀ ମାଖୁଛି ବେଙ୍ଗ

ପ୍ରତିଦିନ ସକାଳେ ସନ୍ଧ୍ୟାରେ ବର ପକ୍ଷ ଓ କନ୍ୟା ପକ୍ଷ ଲୋକ ଅଲଗା ଅଲଗା ବେଙ୍ଗ ବେଙ୍ଗୁଲିକୁ ତେଲ ହଳଦୀ ଲେପନ କରି ବିବାହ କାର୍ଯ୍ୟ କରୁଛନ୍ତି । ବରପକ୍ଷ ଲୋକ ବେଙ୍ଗକୁ ତେଲ ହଳଦୀ ଲେପନ କରିସାରିଲା ପରେ ପଟୁଆର ସହ କନ୍ୟା ବେଙ୍ଗୁଲି ଘର ଶିରାଗୁଡା ସାହିକୁ ଯାଇଥାନ୍ତି । ଉଭୟ ବର ଓ କନ୍ୟା ପକ୍ଷ ଲୋକ ସାକ୍ଷାତ ପରେ କନ୍ୟା ବେଙ୍ଗୁଲିକୁ ତେଲ ହଳଦୀ ଲେପନ କରି ବିବାହ କାର୍ଯ୍ୟ କରୁଛନ୍ତି । ତେବେ ଏହିଭଳି ବେଙ୍ଗ ବେଙ୍ଗୁଲି ବାହାଘର ୯ ଦିନ ଧରି ଚାଲିବା ପରେ ପୋଖରୀରେ ବିସର୍ଜନ କରାଯିବା ପ୍ରଥା ରହିଛି ।

ବର୍ଷାର ନାହିଁ ଦେଖା

ଝରିଗାଁ ବ୍ଲକରେ ଚଳିତ ବର୍ଷ ବର୍ଷା ଏକ ପ୍ରକାର ଉଭାନ ହୋଇ ଯାଇଥିବା ବେଳେ ସ୍ଵଳ୍ପ ପରିମାଣରେ ବୃଷ୍ଟିପାତ ହୋଇଛି, ଏଣୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଚାଷୀ ବୁଣିଥିବା ଧାନ ନଷ୍ଟ ହେବାକୁ ବସିଥିବା ବେଳେ ପକାଇଥିବା ତଳି ବୁଡ଼ିବାକୁ ବସିଲାଣି । ଅଞ୍ଚଳରେ ଜଳସେଚନ ସୁବିଧା ମଧ୍ୟ ନାହିଁ ତେଣୁ ଚାଷକୁ ରକ୍ଷା କରିବା ପାଇଁ ଏକ ମାତ୍ର ବର୍ଷା ପାଣି ଭରଷା ଥିବାରୁ ପୂର୍ବ ପୁରୁଷରୁ ଚଳି ଆସୁଥିବା ବେଙ୍ଗ ବେଙ୍ଗୁଲି ବିବାହ ପ୍ରଥା ଆପେଣାଇ ବେଶ ଧୁମଧାମରେ ବିବାହ କାର୍ଯ୍ୟ ଆରମ୍ଭ କରିଛନ୍ତି ଗ୍ରାମବାସୀ । ଝରିଗାଁରେ ବିଗତ କିଛି ବର୍ଷ ପୂର୍ବେ ମଧ୍ୟ ଏମିତି ବର୍ଷା ହୋଇନଥିବା ବେଳେ ବେଙ୍ଗ ବେଙ୍ଗୁଲିଙ୍କ ଆଦିବାସୀ ପରମ୍ପରାରେ ବିବାହ କାର୍ଯ୍ୟ କରିବା ପରେ ବର୍ଷା ହୋଇଥିବା ଗ୍ରାମବାସୀ କହିଛନ୍ତି ।

ଏହା ବି ପଢନ୍ତୁ....ବର୍ଷା ପାଇଁ ଚାଲିଛି ବେଙ୍ଗ ବେଙ୍ଗୁଲୀଙ୍କ ବାହାଘର

ବିଶ୍ବାସ ସମନ୍ବୟର ଏ ପ୍ରଥାକୁ କାହିଁ କେଉଁ ଅମଳରୁ ଜାରି ରଖିଛନ୍ତି ଝରିଗାଁବାସୀ । ବେଙ୍ଗ ବେଙ୍ଗୁଲିରେ ବିବାହ କରାଇଲେ ଇନ୍ଦ୍ର ଦେବ ସନ୍ତୁଷ୍ଟ ହୋଇ ବର୍ଷା କରାଇବେ ବୋଲି ବିଶ୍ବାସ ନେଇ ଏଭଳି ପ୍ରଥାକୁ ଧୁମ୍‌ଧାମ୍‌ରେ ପାଳିଥାଆନ୍ତି ଝରିଗାଁବାସୀ ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jul 16, 2023, 5:15 PM IST

ABOUT THE AUTHOR

...view details