ଓଡିଶା

odisha

ETV Bharat / state

ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କ ଠାରୁ ଲୁଟି ନେଲେ ଟଙ୍କା ଓ ସୁନାଗହଣା - ରାତି ଅଧରେ ଘରେ ପଶି ଲୁଟିନେଲେ ଟଙ୍କା ଓ ସୁନା

ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ସୁନା ଗହଣା । ଲୁଟ ପରେ ମିଳିଲା ହତ୍ୟା ଧମକ । ଥାନାରେ ଦେଲେ ଲିଖିତ ଅଭିଯୋଗ । ଅଧିକ ପଢ଼ନ୍ତୁ

ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କ ଠାରୁ ଲୁଟ
ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କ ଠାରୁ ଲୁଟ

By

Published : Jul 14, 2022, 5:42 PM IST

ନବରଙ୍ଗପୁର :ରାତି ଅଧରେ ଘରେ ପଶି ଲୁଟିନେଲେ ଟଙ୍କା ଓ ସୁନାଗହଣା । ଘରେ କେହି ନଥିବାର ସୁଯୋଗ ନେଇ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟି ନେଇଛନ୍ତି କଷ୍ଟ ଉପାର୍ଜିତ ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡ଼ା ଗ୍ରାମରେ । ସିନ୍ଧିଗୁଡ଼ା ଗ୍ରାମର କମଳୁ ଅମନାତ୍ୟ ଓ ତାଙ୍କ ସ୍ତ୍ରୀ କମଳା ଏକ ଛୋଟିଆ ହୋଟେଲ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ସେଥିରୁ ଯାହା ରୋଜଗାର ହୁଏ ସେତିକିରେ ଦୁହେଁ ଚଳିବା ସହିତ ଘର ଖଣ୍ଡେ କରିବାର ସ୍ୱପ୍ନ ଦେଖିଥିଲେ ।

ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କ ଠାରୁ ଲୁଟ

ଘର ଅଧାପନ୍ତରିଆ ହୋଇଥିବା ବେଳେ ବାକି ଥିବା କାମ ସମ୍ପୂର୍ଣ୍ଣ ପାଇଁ ବ୍ୟାଙ୍କରୁ 45000 ଟଙ୍କା ଆଣି ନିଜ ପାଖରେ ରଖିଥିଲେ । ହେଲେ ବୁଧବାର ବିଳମ୍ବିତ ରାତିରେ ଉଭୟେ ଶୋଇଥିବା ସମୟରେ ଘର ଭିତରକୁ ୫ଜଣ ମୁଖା ପିନ୍ଧା ଯୁବକ ଆସି ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିଲେ । ଏପରିକି କମଳାଙ୍କ ତଣ୍ଟିରେ ଛୁରୀ ଲଗାଇ ବେକରେ ପିନ୍ଧିଥିବା ସୁନାଗହଣାକୁ ଲୁଟି ନେଇଥିଲେ ଚୋର ।

ଏପରିକି ପୋଲିସକୁ ଜଣେଇଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇ ଚାଲି ଯାଇଥିଲେ ଚୋରମାନେ । ବୃଦ୍ଧ ଦମ୍ପତି ଆଜି ଏନେଇ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ପୋଲିସ ଚୋରଙ୍କୁ ଧରିବା ନିମନ୍ତେ ତଦନ୍ତ ଜାରୀ ରଖିଛି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details