ଓଡିଶା

odisha

ଶୁଣିଲାନି ପ୍ରଶାସନ, କାଠ ପୋଲ ତିଆରି କରି ଦୁଇ ଜିଲ୍ଲାକୁ ଯୋଡ଼ିଲେ ଗ୍ରାମବାସୀ

By

Published : Jan 16, 2023, 1:19 PM IST

Updated : Jan 16, 2023, 3:12 PM IST

ଗୁହାରି ହେଲେ, ଦରଖାସ୍ତ ବି ଦେଲେ । ତଥାପି ଶୁଣିଲାନି ପ୍ରଶାସନ । ଏକାଠି ହେଲେ ଗାଁ ଲୋକେ । ଟଙ୍କା ଆଦାୟ କରି ତିଆରି କଲେ ଅସ୍ଥାୟୀ କାଠପୋଲ । ଅଧିକ ପଢ଼ନ୍ତୁ

Wooden bridge in Nabarangpur
କାଠପୋଲ ହିଁ ସାହା

କାଠ ପୋଲ ତିଆରି କରି ଦୁଇ ଜିଲ୍ଲାକୁ ଯୋଡ଼ିଲେ ଗ୍ରାମବାସୀ

ନବରଙ୍ଗପୁର:କାଠ ପୋଲ ପାଲଟିଛି ସମ୍ପର୍କରେ ମାଧ୍ୟମ । ଦୁଇଟି ଜିଲ୍ଲାକୁ ଯୋଡିଛି ସଂଯୋଗର ସେତୁ । ଉପକୃତ ହେଉଛନ୍ତି ୩୦ ଗୋଟି ପଞ୍ଚାୟତ। ନବରଙ୍ଗପୁର ଜିଲ୍ଲା ମୁରାନ ନଦୀ ଉପରେ ଲଙ୍ଗଳଅଟାଳ ଠାରେ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ ପରେ ସହଜ ହେଲା ଯାତାୟତ। ଜିଲ୍ଲାର ଲଙ୍ଗଳଅଟାଳ ଓ ଚିଲାମୁଣ୍ଡା ଗାଁକୁ ଯିବା ପାଇଁ ରାସ୍ତାଟିଏ ନଥିଲା । ବିଶେଷ କରି ବର୍ଷା ହେଲେ ଯିବାଆସିବା ସମୟରେ ବହୁ କଷ୍ଟ ପାଇଥାନ୍ତି ଲୋକେ। ଏନେଇ ପ୍ରଶାସନ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ । ତଥାପି ଆଜି ଯାଏଁ ହୋଇପାରିଲାନି ସମାଧାନ । ପରେ ଉକ୍ତ ଦୁଇ ଗ୍ରାମବାସୀ ୧୦ ହଜାର ଟଙ୍କା ଖର୍ଚ୍ଚ କରି ତିଆରି କଲେ ଅସ୍ଥାୟୀ କାଠପୋଲ ।

ଏହି ପୋଲ ଏବେ ଏଠାକାର ଲୋକଙ୍କୁ ନିଜ ଜିଲ୍ଲା ସହ ଆଉ ଗୋଟିଏ ଜିଲ୍ଲାକୁ ଯୋଡ଼ି ପାରିଛି । ଉପକୃତ ହେଉଛନ୍ତି ୨ଟି ଜିଲ୍ଲା ଅର୍ଥାତ କୋରାପୁଟ ଓ ନବଙ୍ଗପୁରର ୩୦ ଗୋଟି ପଞ୍ଚାୟତବାସୀ। ଏହି କାଠ ପୋଲ ଯୋଗୁଁ ନବରଙ୍ଗପୁର ଜିଲ୍ଲାର କିଛି ଗ୍ରାମ କୋରାପୁଟ ଜିଲ୍ଲାର କିଛି ଗ୍ରାମ ସହ ଯୋଗାଯୋଗ ସୁବିଧା ହୋଇଛି । ଜିଲ୍ଲାର ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତ ସହ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଓ ନନ୍ଦାହାଣ୍ଡି ବ୍ଲକର ପଞ୍ଚାୟତ ସହ ସିଧାସଳଖ ଯୋଗାଯୋଗ ସମ୍ଭବ ହୋଇ ପାରିଛି।

ଏହା ବ୍ୟତୀତ କୋରାପୁଟ ଜିଲ୍ଲାଠାରୁ ନବରଙ୍ଗପୁର ଜିଲ୍ଲାର ଦୂରତ୍ଵ କମିଯାଇଛି । ଏପରିକି କୋରାପୁଟର କିଛି ପଞ୍ଚାୟତକୁ ଯିବା ପାଇଁ ହେଲେ ବୁଲିକି ଯିବାକୁ ପଡୁଥିଲା । ଏନେଇ କୋରାପୁଟର ବ୍ୟବସାୟୀ ଜଗତ ଜାନି କହିଛନ୍ତି, "ପୋଲ ଯୋଗୁଁ ଅନେକ ସୁବିଧା ହେଉଛି । ଆମ ବ୍ୟବସାୟ ମଧ୍ୟ ଭଲ ହୋଇାପାରୁଛି । ନବରଙ୍ଗପୁରରୁ କୋରାପୁଟକୁ ସିଧା ସଳଖ ସଂଯୋଗ ହୋଇପାରୁଛି । ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକର ଦୂରତା ପ୍ରାୟ ୪୦ କିଲୋ ମିଟର କମିଯାଇଛି । ଯାହାଫଳରେ ଦୁଇପଇସା ରୋଜଗାର ହୋଇପାରୁଛି ।"

ଏହି ଗାଁରେ ଶତାଧିକ ଗ୍ରାମବାସୀ ରହିଥିବା ବେଳେ କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ପହଞ୍ଚିପାରେ ନାହିଁ । ରାସ୍ତା ନଥିବାରୁ ଅଧିକାଂଶ ସମୟରେ ପିଲାଙ୍କ ସ୍କୁଲ ବନ୍ଦ ରହିବା ସହ ଗାଁକୁ ଡାକ୍ତରୀ ସେବା ପହଞ୍ଚିପାରେ ନାହିଁ । ଜରୁରୀକାଳୀନ ପରିସ୍ଥିତିରେ ଏବେ ବି ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟସେବା ନପାଇ ପ୍ରାଣ ହରାଉଛନ୍ତି । ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ ମଧ୍ୟ ପୋଲଟିଏ ନିର୍ମାଣ ହୋଇପାରୁନି । ଏ ସମ୍ପର୍କରେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, "କାଠ ପୋଲ ନିର୍ମାଣ ପରେ ସାମାନ୍ୟ ଆଶ୍ବସ୍ତି ମିଳିଛି । ତେବେ ଏହା ଏକ ଅସ୍ଥାୟୀ ପୋଲ। ସ୍ଥାୟୀ ପୋଲ ତିଆରି ପାଇଁ ଅଧିକ ଟଙ୍କା ଆବଶ୍ୟକ । ଏନେଇ ବ୍ୟକ୍ତିଗତ ଭାବେ ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଏକ ସ୍ଥାୟୀ ପୋଲ କରାଯିବ ।"

ଇଟିଭି ଭାରତ, ନବରଙ୍ଗପୁର

Last Updated : Jan 16, 2023, 3:12 PM IST

ABOUT THE AUTHOR

...view details