ନବରଙ୍ଗପୁର: କୁଟୀର ଶିଳ୍ପ ମଧ୍ୟରେ ଲାଖ ଶିଳ୍ପ ଅନ୍ୟତମ । ଯାହାକୁ ନେଇ ସାରା ଦେଶରେ ନବରଙ୍ଗପୁରର ବେଶ୍ ସୁନାମ ରହିଛି । ଲାଖ ଚୁଡି, ଚିତ୍ରକଳା, କଣ୍ଡେଇ, ସୁନ୍ଦର ସୁନ୍ଦର ପେଡି ଓ କଳସ ଆଦିର ବିରଳ କାରୁକାର୍ଯ୍ୟ ନବରଙ୍ଗପୁରକୁ ଆଣି ଦେଇଛି ପ୍ରସିଦ୍ଧି । ତେବେ ହାତରେ ସୁକ୍ଷ୍ମ କାରିଗରୀ କରି ଏହି ଶିଳ୍ପକୁ ସାର୍ଥକ କରିଥିବା କାରିଗରଙ୍କ ଅବସ୍ଥା ଏବେ ଶୋଚନୀୟ । ଲକ୍ଡାଉନ ଯୋଗୁଁ ସେମାନଙ୍କ ଜୀବନଜୀବିକା ଉପରେ ବେଶ ପ୍ରଭାବ ପଡିଛି ।
କୋରୋନା କଟକଣା ଯୋଗୁଁ ବଜାରଠୁ ନେଇ ବିବାହ ବ୍ରତ ସବୁ ଠପ୍ । ଯେଉଁଥିପାଇଁ ଲାଖ କାରିଗର ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଦୀର୍ଘ ଦୁଇ ମାସ ହେବ ବଜାରର ଅଭାବ ସାଙ୍ଗକୁ କଞ୍ଚାମାଲର ଅଭାବ ଯୋଗୁଁ ସେମାନଙ୍କର ହାତ ଏବେ ଖାଲି । ନବରଙ୍ଗପୁର ସହରର ପ୍ରାୟ 30ଟି ପରିବାର ଲାଖ କାର୍ଯ୍ୟ ଉପରେ ନିର୍ଭରଶୀଳ ଥିବାବେଳେ ଲକ୍ଡାଉନ୍ ସେମାନଙ୍କ ଜୀବିକା ଛଡାଇ ନେଇଛି ।