ନବରଙ୍ଗପୁର: ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପାଲିଆ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଝରିଗାଁ ଥାନାରେ ଏତଲା ଦେଲେ ବିଡିଓ । ଏତଲାକୁ ଆଧାର କରି ଉମରକୋଟ ଏସଡିପିଓ ତଦନ୍ତ ଆରମ୍ଭ କରିଛନ୍ତି ।
ଅଭିଯୋଗ ଅନୁସାରେ, ଝରିଗାଁ ବିଡିଓ ସତ୍ୟ ନାରାୟଣ ମେହେର ଅଫିସରେ କାର୍ଯ୍ୟ କରୁଥିବା ସମୟରେ ପାଲିଆ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପବିତ୍ର ସାନ୍ତା ଏବଂ ରମେଶ ହରିଜନ ନାମକ ଦୁଇଜଣ ବ୍ୟକ୍ତି କାର୍ଯ୍ୟାଳୟ ଭିତରେ ପହଞ୍ଚି ପ୍ରଥମେ ସିସିଟିଭି କ୍ୟାମେରାକୁ ବନ୍ଦ କରିଦେଇଥିଲେ । ପରେ ଏକ କେସ ରେଜିଷ୍ଟର ମାଗିଥିଲେ ଓ ସେଥିରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ତେବେ ସେମାନଙ୍କ କଥା ନ ମାନିବାରୁ ତାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି BDO ।
ଅନ୍ୟପଟେ ପାଲଟା ଅଭିଯୋଗ କରିଛନ୍ତି ଦୁଇ ଯୁବକ । ବିଡିଓ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ବିଲ କରିବାକୁ 2%ଲାଞ୍ଚ ମାଗିଥିବା କହିଛନ୍ତି ଦୁଇ ଯୁବକ । ଏନେଇ ବିଡିଓଙ୍କ ବିରୋଧରେ ମଧ୍ୟ ପାଲିଆ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଏବଂ ଅନ୍ୟଜଣେ ଯୁବକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ କରିବା ପାଇଁ ଉମରକୋଟ ଏସଡିପିଓ ଝରିଗାଁ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି SDPO।