ନବରଙ୍ଗପୁର: ଗ୍ରାମବାସୀ ଦେଇଥିବା ପଣସ ଖାଇ ଜଙ୍ଗଲକୁ ଚାଲିଗଲା ଭାଲୁ । ଉଦ୍ଧାର ପାଇଁ ଥିବା ବନ କର୍ମଚାରୀଙ୍କୁ ଶେଷରେ ନିରାଶ ହେବାକୁ ପଡିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଣ୍ଟାସର ଗାଁରେ ।
ଗ୍ରାମରେ ଦୀର୍ଘ ଦିନ ଧରି ଭାଲୁ ଆତଙ୍କ ଲାଗି ରହିଥିଲା । ଜଙ୍ଗଲକୁ ଲାଗି ରହିଥିବା ଏହି ଗ୍ରାମରେ ସନ୍ଧ୍ୟା ନଇଲେ ଭାଲୁ ଖାଦ୍ୟ ଅନ୍ୱେଷଣ ପାଇଁ ଗାଁ ମୁହାଁ ହୋଇଥା’ନ୍ତି । ପ୍ରତ୍ୟେକ ଦିନ ଭଳି ଏକ ମା’ ଭାଲୁ ଦୁଇଟି ଛୁଆକୁ ସାଥିରେ ଧରି ଗାଁ ଭିତରକୁ ଆସିଥିଲା। କିନ୍ତୁ ବର୍ଷା ହେବା ଫଳରେ ଆଉ ଜଙ୍ଗଲକୁ ଫେରି ନପାରି ଗାଁ ରାସ୍ତା ପାର୍ଶ୍ଵରେ ଥିବା ଏକ ନିର୍ମାଣଧୀନ ଘର ଭିତରେ ପଶିଯାଇଥିଲା । ମା’ ଭାଲୁ ସହ ଦୁଇଟି ଛୁଆ ଭାଲୁ ରହିଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଥିଲେ । ରାସ୍ତା କଡ଼ରେ ଘରଟି ଥିବାରୁ ଏବଂ ସେହି ରାସ୍ତା ଦେଇ ଲୋକମାନେ ଯାତାୟତ କରୁଥିବାରୁ ସମସ୍ତେ ଅଧିକ ଭୟଭୀତ ହୋଇ ଯାଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଥିଲେ । ଭାଲୁ ମାନେ ଏପର୍ଯ୍ୟନ୍ତ କାହାକୁ କୌଣସି କ୍ଷତି ପହଞ୍ଚାଇ ନଥିବାବେଳେ ଗାଁ ନିକଟରେ ଜଙ୍ଗଲ ଥିବାରୁ ସବୁବେଳେ ଭାଲୁମାନଙ୍କ ଏପରି ଚଳପ୍ରଚଳ ହୋଇଥାଏ । ତିନୋଟି ଭାଲୁ ଏକ ନିର୍ମାଣଧିନ ଗୃହ ଭିତରେ ପଶିଥିବା ଗାଁ ଲୋକେ ଦେଖିଥିଲେ । ଏହାପରେ ଘଟଣା ସ୍ଥଳରେ ଭାଲୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିବାରୁ ଭାଲୁମାନେ ଆଉ ଘରୁ ବାହାରି ପାରୁନଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଭାଲୁ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ସେ ସ୍ଥାନରୁ ଉଦ୍ଧାର କରିବେ ସେନେଇ ବନବିଭାଗ କର୍ମଚାରୀ ମାନେ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ।