ଓଡିଶା

odisha

ETV Bharat / state

ଜାତିପ୍ରଥା ଯୋଗୁଁ ଛୁଇଁଲେନି ମୃତଦେହ, କାନ୍ଧ ଦେଲେ ବାପା-ମାଆ ଓ ୨ ସ୍ତ୍ରୀ - nabarangapur racism

ଆଜିର ସଭ୍ୟ ସମାଜରେ ନବରଙ୍ଗପୁରରୁ ସାମ୍ନାକୁ ଆସିଲା ଘୃଣ୍ୟ ଜାତିପ୍ରଥାର ହୃଦୟ ବିଦାରକ ଘଟଣା । ମୃତଦେହକୁ ଅନ୍ୟ ଜାତିର ଯୁବକ ଛୁଇଁବାରୁ ଅନ୍ତିମ ସତ୍କାର ପାଇଁ ମନା କଲେ ଜାତିଭାଇ । ଶେଷରେ ବାପାମାଆ ଓ ସ୍ତ୍ରୀ କାନ୍ଧ ଦେଇ ନେଇ ଶ୍ମଶାନ । ଅଧିକ ପଢନ୍ତୁ...

ମୃତଦେହ ଛୁଇଁଲେନି ଜାତିଭାଇ, ବାପାମାଆ-ସ୍ତ୍ରୀ କାନ୍ଧରେ ମଶାଣି ଗଲେ ଜବଗନ୍ଧୁ
ମୃତଦେହ ଛୁଇଁଲେନି ଜାତିଭାଇ, ବାପାମାଆ-ସ୍ତ୍ରୀ କାନ୍ଧରେ ମଶାଣି ଗଲେ ଜବଗନ୍ଧୁ

By

Published : Oct 19, 2021, 11:42 AM IST

ନବରଙ୍ଗପୁର:ସମାଜ ଯେତେ ବଦଳୁଥିଲେ ବି ଆଜି ମଧ୍ୟ ଅନ୍ଧବିଶ୍ବାସ ଓ ଘୃଣ୍ୟ ଜାତିପ୍ରଥା କବଳରେ ରହିଛି ମଣିଷ । ଛୁଆଁ ଅଛୁଆଁ, ଉଚ୍ଚନିଚ୍ଚର ଭେଦଭାବ ଏବେବି ବଞ୍ଚି ରହିଛି । ଯାହାର ଏକ ନିଚ୍ଛକ ଉଦାହରଣ ସାମ୍ନାକୁ ଆସିଛି ନବରଙ୍ଗପୁରରୁ । ଜାତିପ୍ରଥା ଯୋଗୁଁ ଜଣେ ମୃତକଙ୍କୁ ମିଳିନାହିଁ ଚାରି କାନ୍ଧ । ସାହିଭାଇ ପାଖ ନ ମାଡିବା ପରେ ଶେଷରେ ବାପାମାଆ ଓ ସ୍ତ୍ରୀଙ୍କ କାନ୍ଧରେ ମଶାଣି ଯାଇଛନ୍ତି ଜଣେ ବ୍ୟକ୍ତି ।

ମୃତଦେହ ଛୁଇଁଲେନି ଜାତିଭାଇ, ବାପାମାଆ-ସ୍ତ୍ରୀ କାନ୍ଧରେ ମଶାଣି ଗଲେ ଜବଗନ୍ଧୁ

ସୂଚନାଯୋଗ୍ୟ, ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାନୀ ସାହିରେ ରହୁଥିବା ସାରଥୀ ଜାନୀଙ୍କ ପୁଅ ଜଗବନ୍ଧୁ ଜାନୀ (୨୪)ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା । ପରିବାର ପକ୍ଷରୁ ଜଗବନ୍ଧୁଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି(ସୋମବାର) ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାକ୍ତରଖାନାରେ ମୃତ ଜଗବନ୍ଧୁଙ୍କ ସାନ ସ୍ତ୍ରୀ ଓ ମା' ଥିବାବେଳେ ଖବର ପାଇ ସାହାଯ୍ୟ କରିବା ପାଇଁ ଗ୍ରାମର ଅନ୍ୟ ସମ୍ପ୍ରଦାୟର ୩ ଯୁବକ ପରଦେଶୀ ସଗରିଆ, ସରୋଜ ହିଆଲ ଓ ମନର ହିଆଲ ଆସି ପହଞ୍ଚିଥିଲେ । ସେମାନେ ଆମ୍ବୁଲାନ୍ସ ଯୋଗାଡ଼ କରି ମୃତଦେହ ଗାଁକୁ ନେବା ବ୍ୟବସ୍ଥା କରିଥିଲେ । ଗାଁରେ ମରଶରୀରର ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଜାତିପ୍ରଥାକୁ ନେଇ ଆଲୋଚନା।

ଅନ୍ୟ ସମ୍ପ୍ରଦାୟର ଯୁବକ ମୃତଦେହକୁ ଛୁଇଁବା ଅଭିଯୋଗ କରି ଜାତିଭାଇମାନେ ସତ୍କାର କରିବା ପାଇଁ ରୋକଠୋକ୍ ମନା କରିଦେଇଥିଲେ ବୋଲି ସାହାଯ୍ୟ କରିଥିବା ଯୁବକମାନେ କହିଛନ୍ତି । ଏପରିକି ସେମାନଙ୍କୁ ସତ୍କାର କରିବା ପାଇଁ ବି ଦିଆଯାଇ ନଥିଲା । ଶେଷରେ ମୃତ ଜଗବନ୍ଧୁଙ୍କ ୨ ସ୍ତ୍ରୀ , ମା ଓ ବାପା ୪ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ । ସେଠାରେ ପରମ୍ପରା ଅନୁଯାୟୀ ଅନ୍ତିମ ସତ୍କାର କରାଯାଇଥିଲା । ମୃତକଙ୍କୁ ତାଙ୍କର ୨ କୁନି ପୁଅ ମୁଖାଗ୍ନି ଦେଇଥିଲେ ।

ସୂଚନା ଅନୁସାରେ, ଜଗବନ୍ଧୁ ବିଶାଖାପାଟଣାରେ ଦାଦନ ଖଟିବା ପାଇଁ ଯାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ସେ ଗତ ସପ୍ତାହରେ ଘରକୁ ଫେରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପରିବାର ଲୋକ ଗୋରୁ ଚରାଇ ପେଟ ପୋଷୁଥିବାବେଳେ ଏବେ ଜଗବନ୍ଧୁଙ୍କ ଦଶାହ କାର୍ଯ୍ୟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details