ନବରଙ୍ଗପୁର: ଆଦିବାସୀ ସଂସ୍କୃତି ଓ ପରମ୍ପରା ମାନବ ସମାଜରେ ସ୍ବତନ୍ତ୍ର ପରିଚୟ ବହନ କରେ । ସେ ଯେକୌଣସି ପ୍ରାନ୍ତ, ଭାଷା ବା ସମ୍ପ୍ରଦାୟର ହୁଅନ୍ତୁ ସମାଜକୁ ଏକ ବାର୍ତ୍ତା ଦେଇଥାଏ । ସେହିଭଳି ଆମ ଓଡ଼ିଶାର ଆଦିବାସୀ ସଂସ୍କୃତି ସବୁଠୁ ନିଆରା। ପ୍ରତ୍ୟେକ କ୍ଷେତ୍ରରେ ଆଦିବାସୀ ସଂସ୍କୃତିର ଏକ ଝଲକ ଦେଖିବାକୁ ମିଳିଥାଏ । ଏହିଭଳି ନବରଙ୍ଗପୁର ଜିଲ୍ଲାର ଆଦିବାସୀମାନେ ଦୁଃଖରେ, ସୁଖରେ, ପୂଜା, ଯାନି ଯାତ୍ରାରେ ସବୁଠି ଆଦିବାସୀ ଲୋକ ସଙ୍ଗୀତ ଫୁଟି ଉଠେ । ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର ଲୋକ ଦୁଃଖ ଓ କଷ୍ଟ ସମୟକୁ ମଧ୍ୟ ନିଜ ଆଦିବାସୀ ସଙ୍ଗୀତ ମାଧ୍ୟମରେ ଭୁଳେଇବାର ଏକ ନିଛକ ପ୍ରୟାସ କରିଥାନ୍ତି।
ଯେତେବେଳେ ଆଦିବାସୀ ମହିଳା ମାନେ ବର୍ଷା ସାଙ୍ଗକୁ ଆଣ୍ଠୁଏ ଲେଖାଏ କାଦୁଅରେ ଜମି ଭିତରେ ନିଜର ଜମି ହେଉ କିମ୍ବା ସାହୁକାରର, ଦଳବଳ ସହ ତଳି ଲଗାଇବା କାମରେ ନିୟୋଜିତ ଥାନ୍ତି ସେହି ସମୟରେ ତଳି ଲଗେଇବା ଭଳି କଷ୍ଟ କାଠିନ୍ୟ କାମକୁ ମନୋରଞ୍ଜନ ସହ କରିବା ଓ ପରିଶ୍ରମକୁ ଲାଘବ କରିବା ପାଇଁ ଆଦିବାସୀ ଲୋକ ଗୀତ ଗାଇ ଗାଇ କାମ କରିଥାନ୍ତି । ଏହି ଗୀତରେ ଗୀତ ଗାଉଥିବା ଆଦିବାସୀ ମହିଳା ମାନେ ନିଜ ଦଳରେ ଥିବା ଯୁବତୀମାନଙ୍କ ନାରେ ମଧ୍ୟ ଖିଆଲ ଟାପରା କରିବା ସହ ଜମି ହିଡଉପରେ ଠିଆ ହୋଇ କାମକୁ ନିରୀକ୍ଷଣ କରୁଥିବା ଜମି ମାଲିକଙ୍କ ନାରେ ମଧ୍ୟ ଗୀତ ଗାଇଥାନ୍ତି।
ଏହି ସମୟରେ ଆଦିବାସୀ ମହିଳା ମାନେ ଏକ ସ୍ୱର, ଏକ ଲୟରେ ଗାଉଥିବା ଗୀତ ଯେତେବେଳେ ପବନରେ ଭାସିଆସି ସେହି ରାସ୍ତା ଦେଇ ଯାଉଥିବା ବାଟୋଇର କାନରେ ଯେତେବେଳେ ମୃଦୁ ଶବ୍ଦରେ ବାଜେ ସେତେବେଳେ ବାଟୋଇ ମଧ୍ୟ ନିଜର ସବୁ କାମ ଛାଡି କିଛି ସମୟ ପାଇଁ ଅଟକି ଯାଏ । ଏହି ଲୋକ ଗୀତ ଆଜି ଧୀରେ ଧୀରେ ହଜିବାରେ ଲାଗିଛି । ଏହାର ମୁଖ୍ୟ କାରଣ ହେଲା ପାଶ୍ଚାତ୍ୟ ସଂସ୍କୃତି, ଟିଭି, ମୋବାଇଲ ପ୍ରତି ଆଜିକାର ଯୁବପିଢିଙ୍କ ଆକର୍ଷଣ ।