ନବରଙ୍ଗପୁର:ଜିଲ୍ଲାରେ ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଚାଷୀମାନେ ସରୁଗୁଡାଠାରେ ରାସ୍ତାରୋକ କରିବା ସହ ନନ୍ଦାହାଣ୍ଡି ଲ୍ୟାମ୍ପସ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରି ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ ରାସ୍ତାରୋକରେ ସାମିଲ ହୋଇଛନ୍ତି ।
ଗତ କିଛି ଦିନ ଧରି ମଣ୍ଡିରେ ଟାର୍ଗେଟ ନ ଥିବା କହି ଧାନ ଉଠୁନଥିବାବେଳେ ଚାଷୀ ଧାନକୁ ଘରେ ରଖି ଚିନ୍ତାରେ ପଡିଯାଇଥିଲେ । ଏହି ସମୟରେ ମହାମଣ୍ଡି ଗୁଜବ ହେତୁ ଚାଷୀମାନେ ସରୁଗୁଡା ମଣ୍ଡିରେ ଧାନ ନେଇ ଆସିଥିଲେ । ଯାହା ଫଳରେ ପ୍ରାୟ ୬୦ ହଜାର କ୍ବିଣ୍ଟାଲ ଧାନମଣ୍ଡିରେ ପଡିରହିଛି । ଦୀର୍ଘ ସାତ ଦିନ ଧରି ମଣ୍ଡିରେ ଧାନ ପଡିରହିଥିବା ବେଳେ ଶୀତ କାକର ରାତିରେ ଚାଷୀ ଧାନବସ୍ତାକୁ ଜଗି ରହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଚାଷୀମାନେ ବିକ୍ଷୋଭ କରିଛନ୍ତି ।