ନବରଙ୍ଗପୁର: ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବାବେଳେ ଖୁଣ୍ଟରୁ ଖସି କର୍ମଚାରୀ ମୃତ ଅଭିଯୋଗ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଆସଙ୍ଗା ଠାରେ । ଏନେଇ କୋଷାଗୁମୁଡା ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା ଓ ଖୁଣ୍ଟ ଉପରେ ଚଢି କାମ କରୁଥିବାବେଳେ ସୁରକ୍ଷା ଉପକରଣ ପିନ୍ଧି ଥିଲେ ନା ନାହିଁ ତାହା ନେଇ ଯାଞ୍ଚ କରୁଛି ପୋଲିସ ।
କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଉମରଗାଁ ତିଲୋକ ରନ୍ଧାରୀ ନିକଟସ୍ଥ ଆସଙ୍ଗା ଗ୍ରାମକୁ ବିଦ୍ୟୁତ କାମ କରିବା ପାଇଁ ଯାଇଥିଲେ । ଗ୍ରାମର ମୁଖ୍ୟ ଲାଇନ ଖରାପ ଥିବାରୁ ଗତରାତି ଠାରୁ ଗ୍ରାମକୁ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ରହିଥିଲା । ଯାହାଫଳରେ ସାରା ଗ୍ରାମ ଅନ୍ଧାରରେ ରହିଥିଲା । ତେଣୁ ତାକୁ ସଜାଡ଼ିବା ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବାବେଳେ କୌଣସି କାରଣବଶତଃ ଖୁଣ୍ଟରୁ ଖସି ତଳେ ପଡି ଯାଇଥିଲେ । ପଡିଯିବା ପରେ ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଏ ନେଇ କୋଷାଗୁମୁଡା ଥାନାରେ ଏକ ମାମଲା ରୁଜୁ ହୋଇଛି ।