ଓଡିଶା

odisha

ETV Bharat / state

ଥିଲେ ଯବାନ ହେଲେ କିଷାନ

ଜଣେ ଅବସରପ୍ରାପ୍ତ ମେଜରଙ୍କ କାହାଣୀ । ସେନାରୁ ଅବସର ନେବା ପରେ କୃଷିକାର୍ଯ୍ୟରେ ନିଜକୁ ସମର୍ପିତ କରିଛନ୍ତି । ଜାଣନ୍ତୁ ପୂରା କାହାଣୀ ।

By

Published : Aug 30, 2019, 9:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜୟ ଯବାନ, ଜୟ କିଷାନ..। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଏହି ଉକ୍ତିକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି ଅବସର ପ୍ରାପ୍ତ ମେଜର ବିଜୟ କୁମାର ପାଠକ । ଭାରତୀୟ ସେନା ବାହିନୀରୁ ଅବସର ନେଲା ପରେ ବିଜୟ ପାଠକ ଆଜି ଜଣେ ସଫଳ ଚାଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସେଥିଲେ ଭାରତୀୟ ସେନା ବାହିନୀର ଜଣେ ଉଚ୍ଚପଦସ୍ତ ଅଫିସର । ଧନ, ସମ୍ପତ୍ତିରେ କୌଣସି ଅଭାବ ନଥିଲା । ଭାରତୀୟ ସେନାରେ ଥିବାରୁ ଦେଶର ବିଭିନ୍ନ ଅଞ୍ଚଳକୁ ଯିବାକୁ ପଡୁଥିଲା । ଆଉ ଏହା ଭିତରେ ସେ ଆସି ପହଞ୍ଚିଥିଲେ କୋରାପୁଟର ସୁନାବେଡା ଅଞ୍ଚଳରେ । ସେଠାରେ ବହୁଦିନ ଧରି ଅବସ୍ଥାପିତ ଥିଲେ ବିଜୟ । କୋରାପୁଟ ନବରଙ୍ଗପୁର ଭଳି ପ୍ରାକୃତିକ ପରିବେଶରେ ନିଜେ ବାନ୍ଧି ହୋଇଗଲେ । ଆଉ ନନ୍ଦାହାଣ୍ଡି ଅଞ୍ଚଳରେ କିଛି ଜମି କିଣିଲେ ।

ପରେ 2005 ବେଳକୁ ଆରମ୍ଭ କଲେ ଏକ ଛୋଟିଆ ଗୋଶାଳା । ଧୀରେ ଧୀରେ ଆଗକୁ ବଢିଲା ଏହି ଗୋଶାଳା । ଗତ 2015 ରେ ବିଜୟ ସେନାରୁ ଅବସର ନେଲା ପରେ ନିଜେ ସାଜିଲେ ଗୋପାଳ । 10ଟି ଗାଈରୁ ଆରମ୍ଭ ହୋଇଥିବା ଏହି ଫାର୍ମ ଆଜି ଏକଶହ ଗାଈରେ ଆସି ପହଞ୍ଚିଛି । ବିଜୟଙ୍କ ଫାର୍ମରୁ ସମସ୍ତ ଦୁଗ୍ଧ ଜାତ ଦ୍ରବ୍ୟ ଯଥା- କ୍ଷୀର, ଘିଅ, ଦହି ଓ ପନିର ପ୍ରସ୍ତୁତ ହେଉଛି ।

ଖାଲି ଏତିକି ନୁହେଁ ଅବସର ପ୍ରାପ୍ତ ମେଜର ବିଜୟ ପାଠକ ଦୁଇଟି ପୋଖରୀରେ ମାଛ ଚାଷ ସହ କଦଳୀ, ଆମ୍ବ ଭଳି ଲାଭଜନକ ଚାଷ କରୁଛନ୍ତି । ବିଜୟ ତାଙ୍କର ଏହି ଫାର୍ମ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ 20ଜଣ ଲୋକଙ୍କୁ ପ୍ରତିଦିନ ରୋଜଗାର ମଧ୍ୟ ଯୋଗାଇ ଦେଉଛନ୍ତି ।

ସେନାବାହିନୀର ଜଣେ ଉଚ୍ଚପଦସ୍ତ ଅଫିସର ଭାବେ ଅବସର ଗ୍ରହଣ କରିଥିବା ମେଜର ବିଜୟ ପାଠକ ଚାହିଁଥିଲେ ଆଉ କିଛି କରିପାରିଥାନ୍ତେ । ହେଲେ ଗୋପାଳନକୁ ବାଛିନେବା ଓ ତହିଁରେ ସଫଳ ହେବା ନିଶ୍ଚିତ ଭାବେ ତାଙ୍କର ଦକ୍ଷତାକୁ ପ୍ରତିପାଦନ କରୁଛି । ଉତ୍ତର ପ୍ରଦେଶର ମୂଳ ବାସିନ୍ଦା ବିଜୟ ଆଜି ଯାହା କରିଛନ୍ତି ତାହା ଆମ ରାଜ୍ୟର ଚାଷୀଙ୍କ ପାଇଁ ଉଦାହରଣ ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details