ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ କୁନ୍ଦେଇ ପଞ୍ଚାୟତର ସେମରଡିହି ଜଙ୍ଗଲରେ ହାତୀ ଆତଙ୍କ (Elephant terror in Semardihi forest)। ଦୀର୍ଘ ଦିନ ବ୍ୟବଧାନରେ ପୁଣି ଏହି ଜଙ୍ଗଲରେ ହାତୀପଲଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ଏହି ହାତୀପଲ ଛତିଶଗଡ଼ ଅଞ୍ଚଳରୁ ଆସିଛନ୍ତି । ହାତୀପଲରେ ଛୋଟବଡ଼ ମିଶାଇ ମୋଟ ୩୨ ଗୋଟି ହାତୀ ଏହି ସେମରଡିହି ଅଞ୍ଚଳରେ ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ଏହି ହାତୀପଲ ଅନେକ ଅସ୍ଥାୟୀ କୁଡ଼ିଆ ଗୁଡିକୁ ଭାଙ୍ଗି ଦେଇଥିବା ସୂଚନାରୁ ପ୍ରକାଶ ।
ଏ ସମ୍ପର୍କରେ ନବରଙ୍ଗପୁର ACF ଧନଞ୍ଜୟ ମହାପାତ୍ର କହିଛନ୍ତି ''ନବରଙ୍ଗପୁରରେ ହାତୀ ଆତଙ୍କ ଏକ ସାଧାରଣ କଥା । ପ୍ରାୟ ବେଳେ ଏଠାକୁ ହାତୀପଲ ପଶିଆସିଥାନ୍ତି । ଯେହେତୁ ପଶ୍ଚମ ଓଡ଼ିଶା ସେମାନଙ୍କ ବାସସ୍ଥଳୀ । ଅନ୍ୟପକ୍ଷରେ ବର୍ତ୍ତମାନ ନବରଙ୍ଗପୁରରେ ମକା ଓ ଧାନ ଚାଷକୁ ଖାଇବା ପାଇଁ ସେମାନେ ଓଡ଼ିଶାମୁହାଁ ହୋଇଛନ୍ତି । ତେବେ ହାତୀପଲ ଯେପରି କାହାରି କିଛି କ୍ଷତି ନକରନ୍ତି ସେଥିପାଇଁ ଆମ ବନବିଭାଗ କର୍ମଚାରୀ ସବୁ ବେଳେ ସଜାଗ ହୋଇ ରହିଥାନ୍ତି । ଏପରିକି ହାତୀ ପାଇଁ ଗ୍ରାମବାସୀଙ୍କର ଯେପରି କିଛି କ୍ଷତି ନହୁଏ ସେଥିପାଇଁ ବନବିଭାଗର କର୍ମଚାରୀ ବାଣ ଫୁଟାଇ ହାତୀ ଗୁଡିକୁ ଘଉଡ଼ାଇଥାନ୍ତି । ଏହାସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ମଧ୍ୟ ସତର୍କ କରାଇଥାନ୍ତି । ଏବେ ମଧ୍ୟ କୁନ୍ଦେଇ ବନବିଭାଗ ପକ୍ଷରୁ ପହରା ଦିଆଯାଉଛି । ବର୍ତ୍ତମାନ ମକା ଓ ଧାନ ଫସଲ ଅମଳ ହୋଇ ସାରିଛି । ଖାଦ୍ୟ ନିମନ୍ତେ ଚାଷ ହୋଇଥିବା ବିରି, କୋଳଥ, ହରଡ଼ ଚାଷ ଉପରେ ଏବେ ଏହିି ହାତୀପଲର ନଜର ରହିଛି ।''