ନବରଙ୍ଗପୁର: ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ୩ ବର୍ଷର ପୁଅକୁ ଶାଢ଼ୀରେ ଫାଶୀ ଦେଇ ହତ୍ୟା କରିବା ପରେ ସେହି ଶାଢ଼ୀର ଆଉ ଗୋଟିଏ ପାର୍ଶ୍ଵରେ ନିଜ ବେକରେ ଲଗାଇ ଆତ୍ମହତ୍ୟା କଲା ବାପା । ଗତକାଲି(ବୁଧବାର) ପାରିବାରିକ କଳହକୁ ନେଇ ନିଶାସକ୍ତ ଅବସ୍ଥାରେ ବାପା ଘଟାଇଛି ଏଭଳି ଏକ ଅଭାବନୀୟ ଘଟଣା ।
ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚଚା ପଞ୍ଚାୟତର ଅର୍ଜୁନଗୁଡ଼ା ଗାଁର ପୀତବାସ ଭତ୍ରା ଗତକାଲି(ବୁଧବାର) ରାତିପରେ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲା । ପରେ ସେ ପତ୍ନୀ ବିମଳା ମାଝୀଙ୍କ ସହ ଗଣ୍ଡଗୋଳ କରିବା ସହ ବିମଳା ତାଙ୍କୁ ମାରିବା ପାଇଁ ଗୋଡ଼ାଇଥିଲା। ସ୍ତ୍ରୀ ବିମଳା ସ୍ୱାମୀର ଭୟରେ ଘର ପଛପଟେ ଲୁଚି ରହିଥିଲେ । ଦୁଇ ଘଣ୍ଟା ପରେ ବିମଳା ଘର ଝରକାର ଫାଙ୍କରେ ଦେଖିବା ବେଳକୁ ପୀତବାସ ବେକରେ ଶାଢ଼ୀ ଲଗାଇ ଓହଳିଥିବା ଦେଖିବାକୁ ପାଇଥିଲେ । ଏହାପରେ ପାଖ ଘରେ ଲୋକଙ୍କୁ ଚିତ୍କାର କରି ଡାକ ପକାଇଥିଲେ । ପୀତବାସଙ୍କ ବଡ଼ଭାଇ ଆସି କବାଟ ଭାଙ୍ଗି ଦେଖିଲା ବେଳକୁ ଗୋଟିଏ ଶାଢୀର ଗୋଟିଏ ପାର୍ଶ୍ବରେ ୩ ବର୍ଷର ପୁଅକୁ ହତ୍ୟା କରିଯାଇଥିବାବେଳେ ଓ ଅନ୍ୟ ପାର୍ଶ୍ବରେ ବାପା ପୀତବାସ ନିଜକୁ ଫାଶୀ ଲଗାଇଥିବା ଦେଖିବାକୁ ପାଇଥିଲେ ।