ନବରଙ୍ଗପୁର: ମୃତ୍ୟୁକାଳୀନ ସରାକାରୀ ସହାୟତା ହଡପ କରିବାକୁ ଦଲାଲ ବିଛାଇଛନ୍ତି ଜାଲ । ନିରୀହ ଶ୍ରମିକଙ୍କୁ ଋଣର ଲୋଭ ଦେଖାଇ ପରିଚୟ ପତ୍ର ଆଣି ତିଆରି କରିଥିଲେ ନକଲି ସାର୍ଟିଫିକେଟ ଓ ଲୁଟୁଥିଲେ ଟଙ୍କା। ଜୀବିତ ଥିବା ଶ୍ରମିକଙ୍କ ମୃତ ପ୍ରମାଣପତ୍ର କରି ସେମାନଙ୍କ ସ୍ତ୍ରୀ ନାମରେ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାର କରି ଚାଲିଥିଲା ଟଙ୍କା ହଡପ। ଏହା ଜାଣିବା ପରେ ପ୍ରଶାସନ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଅନ୍ୟପଟେ ଦସ୍ତାବିଜ ଗୁଡିକୁ ଯାଞ୍ଚ ନକରି ଜୀବିତ ଶ୍ରମିକଙ୍କ ନାମରେ ମୃତ କାଳୀନ ସହାୟତା ମଞ୍ଜୁର କରିଥିବା ଶ୍ରମ ବିଭାଗ ହରଡ଼ଘଣାରେ ପଡ଼ିଛି। ଏହି ଦଲାଲିରେ ଅଧିକାରୀ ମାନେ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି ଗ୍ରାମବାସୀ ।
ନବରଙ୍ଗପୁର ବ୍ଳକର ଦେଉଳା, ଡଙ୍ଗରୀଗୁଡା,ବାସନୀ ଓ ଦେଓଦୋରା ଗ୍ରାମର ୮ ଜଣ ନିର୍ମାଣ ଶ୍ରମିକଙ୍କୁ ଶ୍ରମ କାର୍ଡରେ ମୃତ ଦର୍ଶାଯାଇ ମୃତ କାଳୀନ ସହାୟତା ମଞ୍ଜୁର କରିଥିଲା ଶ୍ରମ ବିଭାଗ । ମୃତ୍ୟୁ କାଳୀନ ସହାୟତା ରାଶି ୨ ଲକ୍ଷ ୫ ହଜାର ଟଙ୍କା ଲେଖାଏଁ ହଡ଼ପ କରିବା ଉଦ୍ଦେଶ୍ୟରେ ଦଲାଲ ମାନେ ରଚିଥିଲେ ଟଙ୍କା ହାଡପର ଜାଲ। ଉକ୍ତ ଶ୍ରମିକଙ୍କୁ ୫୦ ହଜାର ଟଙ୍କାର ଋଣ କରାଇଦେବା ଆଶା ଦେଖାଇ ସେମାନଙ୍କ ଠାରୁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ , ଲେବରକାର୍ଡ, ଫୋଟ ଆଦି ସଂଗ୍ରହ କରି ଅସାଧୁ ଉପାୟରେ ମୃତ ପ୍ରମାଣପତ୍ର ଓ ଉତ୍ତୋରାଧିକାରୀ ପ୍ରମାଣ ପତ୍ର ତିଆରି କରୁଥିଲେ। ପରେ ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଜିଲ୍ଲା ଶ୍ରମ ବିଭାଗକୁ ଆବେଦନ କରିଥିଲେ l ଯାହାକୁ ଜିଲ୍ଲା ଶ୍ରମ ଅଧିକାରୀଯାଞ୍ଚ ନକରି ଉକ୍ତ ଶ୍ରମିକମାନଙ୍କ ନାମରେ ମୃତ୍ୟୁକାଳୀନ ସହାୟତା ରାଶିକୁ ମଞ୍ଜୁର କରିଦେଇଥିଲା ।
ଯାହାର ଦସ୍ତାବିଜ ସାମ୍ନାକୁ ଆସିବା ପରେ ମୃତ୍ୟୁ କାଳୀନ ସହାୟତା ପାଇଥିବା ଶ୍ରମିକଙ୍କ ପରିବାରଙ୍କ ନିକଟରେ ପହଞ୍ଚିଥିଲା ଗଣମାଧ୍ୟମ l ସେଠାରେ ପହଞ୍ଚିବା ପରେ ମୃତ ଦର୍ଶାଯାଇଥିବା ବ୍ୟକ୍ତି ବଞ୍ଚିଥିବା ଜଣାପଡିଥିଲା। ଖବରନେବାରୁ ଜଣାପଡିଥିଲା ଯେ, ଉକ୍ତ ଡଙ୍ଗରିଗୁଡା ଗ୍ରାମର ଗୋପାଳ ତନ୍ତୀ ଏହି ଶ୍ରମିକ ମାନଙ୍କଠାରୁ ୫୦ ହଜାର ଟଙ୍କାର ଋଣ କରିଦେବା କହି ଦସ୍ତାବିଜ ମାନ ନେଇ ଏଭଳି ଜାଲିଆତି କରିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।
ଶ୍ରମିକ ଙ୍କ ଠାରୁ ଦସ୍ତାବିଜ ନେଇଥିବା ଗୋପାଳ ତନ୍ତୀ ସ୍ୱୀକାର କରିଥିଲେ ମଧ୍ୟ ଏଭଳି ଜାଲିଆତିରେ ସେ ସାମିଲ ନଥିବା କହିଥିଲେ। ସେ ଦସ୍ତାବିଜ ଗୁଡିକ ନେଇଁ ତାରାଗାଁ ଗ୍ରାମର ପଦ୍ମନ ହରିଜନ ଓ ତାର ସହଯୋଗୀ ରଞ୍ଜିତା ହରିଜନକୁ ଦେଇଥିବା କହିଛନ୍ତି । ଅନ୍ୟପଟେ ଦଲାଲ ମାନଙ୍କ ଦ୍ୱାରା ଜିଲ୍ଲା ଶ୍ରମ ବିଭାଗରେ ଦାଖଲ କରାଯାଇଥିବା ଖଗପତି ପାଇକ ଓ ଦେବ ଗୌଡ଼ଙ୍କ ମୃତ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଯାଞ୍ଚ କରିବାରୁ ସେସବୁ ନକଲି ବୋଲି ସ୍ପଷ୍ଟ ହୋଇଥିଲା l ଦଲାଲ ମାନେ ନିରୀହ ଶ୍ରମିକ ମାନଙ୍କୁ ବିଭିନ୍ନ ପ୍ରକାରର ଲାଳସା ଦେଖାଇ ଦସ୍ତାବିଜ ଆଣି ସହାୟତା ରାଶି ମଞ୍ଜୁର ହେଲେ ଆତ୍ମସାତ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।