ନବରଙ୍ଗପୁର: ମଦ୍ୟପ ପୋଲିସ ବାବୁଙ୍କ ତାଣ୍ଡବ ଲୀଳା । କର୍ତ୍ତବ୍ୟ ଭୁଲି ଗଲେ କର୍ତ୍ତବ୍ୟରତ ଫାଣ୍ଡି ଅଧିକାରୀ । ରକ୍ଷକ ସାଜିଲେ ଭକ୍ଷକ । ଜନସାଧାରଣଙ୍କୁ ସୁରକ୍ଷା ଦେବା ବଦଳରେ ମଦ ନିଶାରେ ଲୋକଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିବା ଘଟାଣାରେ ଉତ୍ୟକ୍ତ ହୋଇ ଘେରିଲେ ଗ୍ରାମବାସୀ । ଏହି ସମୟରେ ଗ୍ରାମର ଜଣେ ଯୁବକ ଭିଡ଼ିଓ ରେକଡ଼ିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।
ନବରଙ୍ଗପୁର ଜିଲ୍ଲା ସରୁଗୁଡା ଗ୍ରାମରେ ଘଟିଥିବା ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଡଙ୍ଗରଭେଜା ଫାଣ୍ଡି ଆଧିକାରୀ ଠଣ ସୁନ୍ଦର ପ୍ରଧାନ ଗତକାଲି ରାତିରେ ମଦ ପିଇ ସରୁଗୁଡା ଗ୍ରାମର କିଛି ଯୁବକଙ୍କୁ ନିସ୍ତୁକ ଭାବେ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ ।
ଯୁବକ ମାନଙ୍କ ଭୁଲ ନଥାଇ ମଧ୍ୟ ସେମାନଙ୍କୁ କାହିଁକି ମାଡ଼ ମାରିଲେ ବୋଲି କହି ପୋଲିସ ବାବୁଙ୍କୁ ଘେରିଲେ ଶତାଧିକ ଗ୍ରାମବାସୀ । ସୁରକ୍ଷା ଦେବା ପରିବର୍ତେ ପୋଲିସ ବାବୁ ମଦ ପିଇ ସାଧାରଣ ଜନତାଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣା ପରେ ସରୁଗୁଡା ଗ୍ରାମବାସୀ ଏବେ ବେଶ୍ ଭୟବିତ ।
ଫାଣ୍ଡି ଅଧିକାରୀଙ୍କ ତାଣ୍ଡବ ଲୀଳାର ଏହି ଦୃଶ୍ୟକୁ ଜିଲ୍ଲାବାସୀ ତୀବ୍ର ନିନ୍ଦା କରିଛନ୍ତି । ଗତ କିଛିଦିନ ଧରି ରାସ୍ତାରେ ରାତି ସମୟରେ ଲୁଟ ତରାଜ ଚାଲିଥିଲା । ଏହାକୁ ନେଇ ପେଟ୍ରୋଲିଂ ସମୟରେ ଉକ୍ତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସନ୍ଦେହ ହେବାରୁ ତାକୁ ପଚାରିବା ସମୟରେ କେହି ଭିଡିଓ କରି ଭାଇରାଲ କରିଥାଇ ପାରନ୍ତି । ଏହି ଆକ୍ରମଣ ଘଟଣାକୁ ମନା କରିଛନ୍ତି ଫାଣ୍ଡି ଅଧିକାରୀ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ