ଓଡିଶା

odisha

ETV Bharat / state

ଅସୁସ୍ଥ ସ୍ବାସ୍ଥ୍ୟ ବିଭାଗ: ନବରଙ୍ଗପୁରରେ ଫାର୍ମାସିଷ୍ଟ ଓ ନର୍ସଙ୍କ ହାତରେ ରୋଗୀଙ୍କ ଜୀବନ ! - ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଲାଗି ସଦାସର୍ବଦା ଚର୍ଚ୍ଚାରେ ଥିବା ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ଡାକ୍ତର ଅଭାବ ଏବେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇଦେଇଛି । ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ସ୍ଵାସ୍ଥ୍ୟସେବାରେ ବାଧକ ସାଜିଥିବା ବେଳେ ଡାକ୍ତର ପଦବୀ ପୂରଣ କରିବା ଲାଗି ସରକାରଙ୍କ ପଦକ୍ଷେପ ମଧ୍ୟ ସନ୍ତୋଷଜନକ ନୁହେଁ । ଜିଲାରେ 264 ଜଣ ଡାକ୍ତର ରହିବାକୁ ଥିଲେ ହେଁ ଅଛନ୍ତି ମାତ୍ର 98 ଡାକ୍ତର । ଏଥିରୁ ଅନେକ ଡାକ୍ତର ବିଭିନ୍ନ କାରଣରୁ ଛୁଟି କିମ୍ବା ଉଚ୍ଚଶିକ୍ଷା ଲାଗି ବାହାରକୁ ଚାଲିଯାଇଛନ୍ତି । ଆଉ ଯେତିକି ଅଛନ୍ତି ସେମାନେ ଡାକ୍ତରଖାନା ଆସିବାକୁ ଇଚ୍ଛା କରୁନାହାନ୍ତି । ଯହାଦ୍ବାରା ଫାର୍ମାସିଷ୍ଟ ଏବଂ ନର୍ସ ହାତରେ ଚାଲିଛି ରୋଗୀ ସେବା । ତେବେ ଉପାନ୍ତ ଇଲାକାରେ ଡାକ୍ତରଖାନା ଓ ଡାକ୍ତରଙ୍କ ବାସ୍ତବ ଚିତ୍ରକୁ ନେଇ ଦେଖନ୍ତୁ ଏହି ରିପୋର୍ଟ...

ନବରଙ୍ଗପୁରରେ ରୋଗୀ ସେବା ବ୍ୟାହତ
ନବରଙ୍ଗପୁରରେ ରୋଗୀ ସେବା ବ୍ୟାହତ

By

Published : Oct 13, 2020, 10:08 PM IST

ନବରଙ୍ଗପୁର: ସ୍ବାସ୍ଥ୍ୟ ବିଭାଗର ସ୍ଥିତି ଖରାପ । ଏକଥା ଆମେ ନୁହେଁ କହୁଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତାହା ପୁଣି ସରକାରୀ ଦସ୍ତାବିଜ ଆଧାରରେ । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଲାଗି ସର୍ବଦା ଚର୍ଚ୍ଚାରେ ରହୁଥିବା ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଡାକ୍ତର ଅଭାବ ଏବେ ସ୍ବାସ୍ଥ୍ୟ ବିଭାଗର ନିଦ ହଜେଇ ଦେଇଛି ।

ସ୍ବାସ୍ଥ୍ୟ ବିଭାଗର ସ୍ବାସ୍ଥ୍ୟ ଖରାପ: ନବରଙ୍ଗପୁରରେ ଫାର୍ମାସିଷ୍ଟ ଓ ନର୍ସ ହାତରେ ରୋଗୀଙ୍କ ଜୀବନ !

ଭଲ ଭାବେ ଦେଖନ୍ତୁ ଜିଲ୍ଲାର ଗୁମାଗୁଡା ଗାଁରେ ଥିବା ଡାକ୍ତରଖାନାର ଅବସ୍ଥା । ଯେଉଁଠି ମୁଖ୍ୟ ଫାଟକ ଖୋଲା ପଡିଥିବାବେଳେ ଭିତରେ ଝୁଲୁଛି ତାଲା । ସମାନ ଅବସ୍ଥା ଅଞ୍ଚଳଗୁମା ସ୍ୱାସ୍ଥ୍ୟକେନ୍ଦ୍ରର । ଏଠି ଡାକ୍ତର ତ ନିଯୁକ୍ତି ପାଇଛନ୍ତି ହେଲେ ଫାର୍ମାସିଷ୍ଟ ଭରସାରେ ଚାଲିଛି ଡାକ୍ତରଖାନା । ଏଠାରେ ହସ୍ପିଟାଲ ରହିଛି ହେଲେ ରୋଗୀ ଚିକିତ୍ସା ପାଇଁ ଉନ୍ନତମାନର ଚିକିତ୍ସା ସାମଗ୍ରୀ କେଉଁଠି ନାହିଁ ତ ଆଉ କେଉଁଠି ଡାକ୍ତରଙ୍କ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ । ତା' ଉପରେ ଗମନାଗମନର ଅସୁବିଧା...ଏହାହିଁ କାରଣ ଯେ ଏଠାରେ ଡାକ୍ତର ଆସନ୍ତି ନାହିଁ ଆଉ ଯେଉଁମାନେ ଆସନ୍ତି ସେମାନେ ତିଷ୍ଠନ୍ତି ନାହିଁ । ଫଳରେ ରୋଗୀ ସ୍ବାସ୍ଥ୍ୟ ସେବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରି ଦୂର ସ୍ଥାନ କୋରାପୁଟ, ବିଶାଖାପାଟଣା ଓ ପଡୋଶୀ ଛତିଶଗଡ ଯିବାକୁ ବାଧ୍ୟ ହେଉଛନ୍ତି । ଆଉ ଆମ୍ବୁଲାନ୍ସ ସେବା କଥା ନକହିବା ଭଲ । ଅଧିକାଂଶ ଆମ୍ବୁଲାନ୍ସ ଅଚଳାବସ୍ଥାରେ ।

ଜିଲ୍ଲାରେ ମୁଖ୍ୟ ଡାକ୍ତରଖାନା ଓ ସବ ଡିଭିଜନାଲ ଡାକ୍ତରଖାନା ଗୋଟିଏ ଲେଖାଏଁ ଥିବା ବେଳେ ପିଏଚସି 10ଟି ଓ ସିଏଚସି 41ଟି ରହିଛି । ଆଉ ସେହି ଅନୁସାରେ ଜିଲ୍ଲାରେ 264 ଡାକ୍ତର ରହିବା କଥା, ହେଲେ ଅଛନ୍ତି 98 ଡାକ୍ତର । ଜିଲ୍ଲାବାସୀ ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ । ବରଂ ଡାକ୍ତର ଅଭାବ ଯୋଗୁଁ ମାତୃ ଓ ଶିଶୁ ମୃତ୍ୟୁହାର, କୁପୋଷଣ, ପୃଷ୍ଟିହୀନତା, କୁପୋଷଣ ଭଳି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଆଉ ଲୋକେ ଅନ୍ଧବିଶ୍ବାସର ଶିକାର ହେଉଛନ୍ତି । ସେପଟେ ଡାକ୍ତର ଅଭାବ କାରଣରୁ ଫାର୍ମାସିଷ୍ଟ, ନର୍ସ, ଅଙ୍ଗନୱାଡି କର୍ମୀଙ୍କ ସହାୟତାରେ ଡାକ୍ତରଖାନା ଚାଲୁଥିବା କହୁଛନ୍ତି ସିଡିଏମଓ । କମ ସଂଖ୍ୟକ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସମ୍ଭବପର ହେଉନଥିବା ବେଳେ ଉପାୟ କି ସମାଧାନ କିଛି ନଥିବା ମଧ୍ୟ କହିଛନ୍ତି ।

ସରକାର ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ନବରଙ୍ଗପୁରର ଏ ଅବ୍ୟବସ୍ଥା ସରକାରଙ୍କ ଦକ୍ଷତା ଓ ଦୂରଦୃଷ୍ଟି ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details