ଓଡିଶା

odisha

ETV Bharat / state

ଜଳବନ୍ଦୀରୁ ଲୋକଙ୍କୁ ଉଦ୍ଧାର କରିଲା ପ୍ରଶାସନ

ଦୁଇ ଦିନର ଲଗାଣ ବର୍ଷା ଫଳରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ତିନୋଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି । ତେବେ ପ୍ରଭାବିତଙ୍କୁ ଉଦ୍ଧାର କରିଛି ପ୍ରଶାସନ ।

By

Published : Jul 31, 2019, 3:51 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଦୁଇ ଦିନର ଲଗାଣ ବର୍ଷା ଫଳରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ତିନୋଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି । ତିନୋଟି ପଞ୍ଚାୟତ ଉକିଆପାଲି, ବିଞ୍ଜିଲି ଓ ଚିର୍ମା ପ୍ରଭାବିତ ହୋଇଛି । ଉକିଆପାଲି ପଞ୍ଚାୟତର ଘାଟବାସୁଲି, ଘାଟଗୁଡା, ଆଳୁପଦର, ପାଇଲପାଲି ଓ ଚିର୍ମା ପଞ୍ଚାୟତର ପଡେଇଗୁଡା, ଦୁଗୁଳାହାଣ୍ଡି, ଯାଗିନୀଗୁଡ଼ା, ଖଣ୍ଡିବାଗଦରୀ ଗାଁ ମାନଙ୍କରୁ ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ଜଳବନ୍ଦୀ ହୋଇରହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ପଡୋଶୀ କୋରାପୁଟ ଜିଲ୍ଲାରୁ ୨୦ ଜଣିଆ ଓଡ୍ରାଫ୍ଟ ଟିମ ଅଣାଯାଇ ଏହି ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସ୍ଥାନୀୟ ବିଡ଼ିଓ, ତହସିଲଦାର ଓ ଓଡ୍ରାଫ୍ଟ ଟିମର ମିଳିତ ଭାବେ ପାୱାର ବୋଟ ସାହାଯ୍ୟରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ମାନଙ୍କୁ ସ୍ଥାନାନ୍ତର କରାଯାଉଛି ।

ସେଥିମଧ୍ୟରୁ ୧ ହଜାର ୪୫୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୨୦୦ ଲୋକ ସେଥିମଧ୍ୟରୁ ଫେରିଯାଇଛନ୍ତି । ଏବଂ ୨୫୦ ଲୋକଙ୍କୁ ଘାଟବସୁଲି ସ୍କୁଲରେ ରଖାଯାଇ ସେମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଥିବା ବେଳେ ଆବଶ୍ୟକୀୟ ସ୍ଥଳେ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବା ନେଇ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ ଠିକରେ ହୋଇପାରି ନଥିବାବେଳେ ୬୫ ଟି ଘର ଭାଙ୍ଗି ଯାଇଥିବା ନେଇ ସୂଚନା ହସ୍ତଗତ ହୋଇଥିବା ବେଳେ ଆଗକୁ ମଧ୍ୟ ଏହି ଆକଳନ ବଢିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ସଙ୍ଗମ ସ୍ଥଳୀରେ ଉକ୍ତ ଗାଁ ରହିଥିବାରୁ ପ୍ରତିବର୍ଷ ବର୍ଷାରେ ଜଳବନ୍ଦୀ ହୋଇଯାଉଛନ୍ତି । ସୋମବାର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସ୍ଥାନୀୟ ଅଞ୍ଚଳକୁ ଗସ୍ତ କରି ଲୋକଙ୍କୁ କିପରି ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇପାରିବ ସେନେଇ ତଦାରଖ କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details