ନବରଙ୍ଗପୁର: କୋଡିଙ୍ଗା ବନାଞ୍ଚଳ କୋଷାଗୁମୁଡା ଫରେଷ୍ଟ ସେକ୍ସନ ସନ୍ତୋଷପୁର ପଞ୍ଚାୟତରେ ଜଙ୍ଗଲକୁ ନେଇ ଗାଁ ଗାଁ ମଧ୍ୟରେ ଦେଖାଯାଇଥିବା ବିବାଦ ଉଗ୍ରରୂପ ଧାରଣ କରିଛି । ବିବାଦକୁ ନେଇ ଘଡାଧନୁଆ ନିକଟ ପ୍ଳାଣ୍ଟେସନ ଜଙ୍ଗଲରେ ସମାଧାନ ପାଇଁ ଆଲୋଚନା ହେଉଥିବାବେଳେ ରଣକ୍ଷେତ୍ର ପାଲଟିଛି ସମାଧାନ ସ୍ଥଳ । ଯେଉଁଥିରେ ଫରେଷ୍ଟ ଗାର୍ଡ ଉମାଶଙ୍କର ମିଶ୍ରଙ୍କ ମୁଣ୍ଡଫାଟି ଯାଇଥିବା ବେଳେ ଫରେଷ୍ଟ ଗାର୍ଡ ବସନ୍ତ ନାୟକ ଆହତ ହୋଇଥିବା ସୂଚନା ମିଳିଛି ।
ଜଙ୍ଗଲକୁ ନେଇ ସନ୍ତୋଷପୁର ପଞ୍ଚାୟତର କଦଭଟ୍ଟା, ଜାନିଗୁଡା, ଡଙ୍ଗରୀଗୁଡା, କକଡାଗୁଡା ଗ୍ରାମ ସହିତ ଘଡାଧନୁଆ ଓ କୁମିଗୁଡାର ବିବାଦ ଦେଖାଦେଇଛି । ଯାହାର ସମାଧାନ କରିବାକୁ ଜଙ୍ଗଲ ବିଭାଗ ପକ୍ଷରୁ କୋଡିଙ୍ଗା ରେଞ୍ଜର, କୋଷାଗୁମୁଡା ଫରେଷ୍ଟର, କୋଡିଙ୍ଗା ଫରେଷ୍ଟର, 3ଟି ଫରେଷ୍ଟ ଗାର୍ଡ ଓ କୋଷାଗୁମୁଡା ପୋଲିସ ପକ୍ଷରୁ ଜଣେ ହାବିଲଦାର ଏବଂ ଜଣେ କନେଷ୍ଟବଳ ଯାଇଥିଲେ ।
ତେବେ ଉଭୟ ପକ୍ଷରୁ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ଆସିଥିବାବେଳେ କୋଭିଡ୍ ନିୟମ ଦୃଷ୍ଟିରୁ ଉଭୟ ପକ୍ଷରୁ 20 ଜଣ ଲେଖାଏଁ ରହି ଆଲୋଚନା କରିବାକୁ କୁହାଯାଇଥିଲା । ଉଭୟ ପକ୍ଷ କୌଣସି ପଦକ୍ଷେପରେ ରାଜି ନହେବାରୁ ଶେଷରେ ଜଙ୍ଗଲ ବିଭାଗ ଏହି ବିବାଦୀୟ ଜଙ୍ଗଲର ଦାୟିତ୍ଵ କୌଣସି ଗାଁକୁ ନଦେଇ ନିଜ ପାଖରେ ରଖିଥିଲେ । ଏହାସହ ଯଦି କୌଣସି ଲୋକ ଜଙ୍ଗଲ ମଧ୍ୟକୁ ଯାଆନ୍ତି ତେବେ ତାଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ଏକ ଲିଖିତ ରାଜିନାମାରେ ଉପସ୍ଥିତ ସଦସ୍ୟଙ୍କ ନିକଟରୁ ଦସ୍ତଖତ ନେଉଥିଲେ ।