ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାକୁ ପୁଣି ଲେଉଟିଛି ଝାଡ଼ାବାନ୍ତି (Diarrhea patients again found in some blocks of Nabarangpur) । ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ଅନ୍ତର୍ଗତ ସୋରିଷପଦର ଠାରେ ବ୍ୟାପିଛି ଝାଡ଼ାବାନ୍ତି । ଝାଡାବାନ୍ତି ବ୍ୟାପି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଆକ୍ରାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ତେବେ ମୃତକ ଜଣକ ହେଲେ ତୁଳାବତୀ ଭତରା । ଖାଲିସେତିକି ନୁହେଁ ଏହି ଝାଡ଼ାବାନ୍ତିରେ ତୁଳାବତୀଙ୍କ ସ୍ୱାମୀ ଟଙ୍କଧର ଭତରା ମଧ୍ୟ ଗତ ରବିବାର ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ମୋଟ ୧୫ଜଣ ଲୋକେ ଏହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଗାଁର ୨ ଜଣ ଧନ୍ୟା ଭତରା ଓ ପୁଷ୍ପଲତା ଭତରା ଆକ୍ରାନ୍ତ ହୋଇ ଘରେ ରହି ଚିକିତ୍ସିତ ହେଉଛନ୍ତି । ଏ ସମସ୍ତ ଖବରପାଇ ଗ୍ରାମରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କୁ ସଚେତନତା କରାଉଛନ୍ତି ।
ସୂଚନାମୁତାବକ ତୁଳାବତୀଙ୍କୁ ପାହାନ୍ତିଆ ସମୟରେ ଦୁଇଥର ଝାଡା ହେବାରୁ ସେ ବାହାରକୁ ଯାଇଥିଲେ । ଏନେଇ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କିନ୍ତୁ ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚି ପାରିନଥିଲା । ଫଳରେ ଚିକିତ୍ସା ନପାଇ ତୁଳାବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରୀଦଳ ଗାଁକୁ ଯାଇ ଗାଁର ପାଣିର ନମୁନା ପରୀକ୍ଷା ଲାଗି ପଠାଇଛନ୍ତି । ଏହାସହ ବ୍ଲିଚିଙ୍ଗ ପାଉଡର ସିଞ୍ଚନ କରିଛନ୍ତି । ତେବେ ଝାଡାବାନ୍ତି ବ୍ୟାପିବାର କାରଣ ଏଯାଏ ଜଣା ପଡ଼ିନାହିଁ ।