ନବରଙ୍ଗପୁର:ମାତୃଭାଷାର ଶିକ୍ଷାଦାନ ବ୍ୟକ୍ତିର ସୃଜନଶୀଳତାକୁ ବିକଶିତ କରିପାରେ । ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷାଦାନକୁ ପ୍ରାଧାନ୍ୟ ପ୍ରଦାନ କରାଯାଇଛି । ଯାହାଦ୍ବାରା ଦେଶରେ ଯୁବ ବର୍ଗ ଅଧିକରୁ ଅଧିକ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବରଙ୍ଗପୁର ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବାର୍ତ୍ତା ଦେଇଛନ୍ତି । ସ୍ଥାନୀୟ ଭାଷା, ମାତୃଭାଷାରେ ଶିକ୍ଷାଦାନ ପାଇଁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଶିକ୍ଷା ନୀତିରେ ବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ସେହିପରି ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ନବରଙ୍ଗପୁର ମହାବିଦ୍ୟାଳୟକୁ ଭାରତ ସରକାର ସମସ୍ତ ସହଯୋଗ ଯୋଗାଇଦେବେ । ମହାବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ କରିବା ସହ ବିଦ୍ୟାର୍ଥୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବିକଶିତ କରି ସୁଯୋଗ ପ୍ରଦାନ ପାଇଁ ଗୁରୁତ୍ବାରୋପ କରିଥିଲେ । ଏହି ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟର ସ୍ମରଣିକା ଓ ମହାବିଦ୍ୟାଳୟ ସମ୍ପର୍କିତ ପୁସ୍ତକ ଉନ୍ମୋଚିତ କରାଯାଇଥିଲା ।