ନବରଙ୍ଗପୁର:ନବରଙ୍ଗପୁରରେ ରୋଜଗାରର ସୁଯୋଗ ଦେଇଛି କେନ୍ଦ୍ର ସରକାରଙ୍କ ଦୀନ ଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା । ଏଠାରେ ସିଲେଇ ତାଲିମ ପରେ ସ୍ବାବଲମ୍ବୀ ହୋଇପାରିଛନ୍ତି ସିନ୍ଧିଗୁଡା ଗ୍ରାମର 20 ବର୍ଷିୟା ଅନ୍ନପୂର୍ଣ୍ଣା ହରିଜନ ଓ ଚରାମୁଳା ଗ୍ରାମର 17 ବର୍ଷିୟା ବନିତା ପୂଜାରୀ । ଦିନେ ବାଲ୍ୟ ବିବାହ କରି ଘରୁ ପଳାଇଥିଲେ । କିନ୍ତୁ ଶେଷରେ ଘରକୁ ଫେରି ବୋଝ ହେବା ପରିବର୍ତ୍ତେ ରୋଜଗାରକ୍ଷମ ହୋଇ ପାରିଛନ୍ତି ଉଭୟ ।
ଅନ୍ନପୂର୍ଣ୍ଣା ହରିଜନଙ୍କ ପରିବାର କହିଲେ ମାଆ, ଭାଇ ଓ ତାଙ୍କ ପାଞ୍ଚ ବର୍ଷର ଝିଅ । ଉପଯୁକ୍ତ ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ହିଁ ବାଲ୍ୟ ବିବାହର ଶିକାର ହୋଇଥିଲା। ମାତ୍ର ବର୍ଷକ ପରେ ସ୍ବାମୀ ଦ୍ୱିତୀୟ ବିବାହ କରିବାରୁ କଅଁଳ ଶିଶୁ କନ୍ୟାକୁ ଧରି ସେ ବାପ ଘରକୁ ଫେରିଥିଲେ । ଦିନ ମଜୁରିଆ ଭାଇ ଉପରେ ବୋଝ ନହୋଇ ସେ ଖୋଜିଥିଲେ ରୋଜଗାରର ପନ୍ଥା । ଠିକ ଏହି ସମୟରେ ତାଙ୍କୁ ଆଶାର ଆଲୋକ ଦେଖାଇଥିଲା ଦୀନ ଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ।
ନବରଙ୍ଗପୁର ଠାରେ ଥିବା ଦୀନ ଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ କେନ୍ଦ୍ରରେ ସେ ତିନିମାସ ଧରି ମାଗଣାରେ ରହିବା ଖାଇବା ସୁବିଧା ସହ ସିଲେଇ ତାଲିମ ଗ୍ରହଣ କରିଥିଲେ। ତାଲିମ ପରେ ଅର୍ଣ୍ଣପୂର୍ଣ୍ଣାଙ୍କୁ କର୍ଣ୍ଣାଟକ ରାଜ୍ୟର ତ୍ରିପୁରାଠାରେ ପ୍ଲେସମେଣ୍ଟ ପରେ ମାସକୁ 8500 ଟଙ୍କା ଦରମାର ଚାକିରି ମିଳିଥିଲା । 6 ମାସ କାମ କରିବା ପରେ ସେ ଏବେ ଘରକୁ ଫେରିଛନ୍ତି ଝିଅ ପାଇଁ । ପୁଣି ଏପ୍ରିଲ ମାସରେ ଚାକିରି ସ୍ଥାନକୁ ଫେରିବ ବୋଲି କହିଛନ୍ତି । ଭୁଲର ପୁନରାବୃତ୍ତି ନ କରି ନୂଆ ରାସ୍ତାରେ ଚାଲିବାକୁ ଏବେ ଆଗଭର ଅନ୍ନପୂର୍ଣ୍ଣା । ନିଜ ଝିଅ ପାଇଁ ଏକ ସୁନେଲି ଭବିଷ୍ୟତ ଗଢିବାକୁ ଆଶା ରଖିଛନ୍ତି ।