ନବରଙ୍ଗପୁର :ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ଯୋଗୁଁ ଦୀର୍ଘ ଆଠ ଘଣ୍ଟା ପରେ ରାସ୍ତାରୁ ହଟିଲା ମୃତଦେହ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ମାଝିଗୁଡ଼ାର ୨୬ ନମ୍ୱର ଜାତୀୟ ରାଜପଥରେ । ମୃତ ଯୁବକ ଜଣକ ହେଲେ ସେକ ନିଜାମ । ସେକ ନିଜାମଙ୍କୁ ସ୍ଥାନୀୟ କେତେକ ଯୁବକ ସଂଘବଦ୍ଧ ଭାବେ ମାରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିଲେ । ତେବେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ଦାବିରେ ନବରଙ୍ଗପୁର ମାଝିଗୁଡା ଠାରେ ୨୬ ନମ୍ୱର ଜାତୀୟ ରାଜପଥରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ପରିବାର ବର୍ଗ ।
ସୂଚନାନୁସାରେ ଗତ ରାତି ପ୍ରାୟ ୯.୦୦ଟାରେ ନବରଙ୍ଗପୁର ସହର ଆର.ଓ ଯିବା ରାସ୍ତା ସାହିଲ ହୋଟେଲ ନିକଟରେ ସେକ ନିଜାମଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥଲା । ଛ, ସାତ ଜଣ ଦୁର୍ବୃତ୍ତ ଖଣ୍ଡା, କାତି, ଲୁହାଛଡ଼ ଧରି ସେକ ନିଜାମଙ୍କୁ ବିଚ୍ ରାସ୍ତାରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇ ଥିଲେ। ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେକ ନିଜାମ ପଡି ଛଟପଟ ହେଉଥିବା ଦେଖି ଲୋକେ ପୋଲିସକୁ ଫୋନ କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।