ନବରଙ୍ଗପୁର: ଜାରି ରହିଛି ଝିପ ଝିପ ବର୍ଷା । ହେଲେ ଖାତିର ନାହିଁ । କାଦୁଆରେ ଭରା ଆବଡାଖାବଡା, ରାସ୍ତା ଦେଖି ଅଟକି ଗଲା ବିଧାୟକଙ୍କ ଦାମୀ ଗାଡି ଆଉ ବିବେକ । ନିଜେ ଓଦା ହୋଇ ହାତରେ ମାଟି ଖୋଳିବା ଉପକରଣ ଫାଉଡା(କୋଦାଳ) ଧରି ମରାମତି କାମରେ ଲାଗି ପଡିଛନ୍ତି ବିଧାୟକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ମୁଣ୍ଡରେ ହଳୁଆ ପଗଡି ମାରି ମୋରମ ରାସ୍ତାକୁ ମରାମତି କରୁଛନ୍ତି ନବରଙ୍ଗପୁର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ।
ସୂଚନା ଅନୁସାରେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଲୋକଙ୍କ ନିକଟତର ହେବାକୁ । ଆଉ ଏହି ପ୍ରୟାସ ଆରମ୍ଭ କରିବା ଲକ୍ଷ୍ୟରେ ବାହାରିଥିଲେ ମନୋହର । ନିଜ ନିର୍ବାଚନ ମଣ୍ଡଳୀର ଚାଷ କରୁଥିବା ମହିଳା ଶ୍ରମିକଙ୍କୁ ରେନ୍ କୋର୍ଟ ଓ ଚା' ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ ରଖିଥିଲେ ବିଧାୟକ । ଏହି କାର୍ଯ୍ୟକ୍ରମ ପାଇଁ ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର କଣ୍ଟାସରରୁ ଜବାଗୁଡାକୁ ଯାଉଥିବା ସମୟରେ ବାଟରେ ପଡିଥିଲା ଏହି କାଦୁଅ ପଚପଚ ରାସ୍ତା ।
କାଦୁଅ ରାସ୍ତାରେ ଗାଡ଼ି ଆଉ ଗଡ଼ିବା ସମ୍ଭବପର ହୋଇପାରିନଥିଲା । ବିଧାୟକଙ୍କ ସାଙ୍ଗରେ ଉପସ୍ଥିତ କର୍ମୀମାନେ କିଛି ବୁଝିବା ପୂର୍ବରୁ ବିଧାୟକ ନିଜେ ଗାଡିରୁ ଓହ୍ଲାଇ ନିକଟରେ ଥିବା ମୋରମ ଆଣି ସେହି ରାସ୍ତାରେ ପକାଇ ରାସ୍ତାକୁ ସମତୁଲ କରି ଗମନାଗମନ ଉପଯୋଗୀ କରିଥିଲେ । ବିଧାୟକଙ୍କ ଏତାଦୃଶ୍ୟ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉଦାହରଣ ସୃଷ୍ଟି କରିଥିଲା ।