ଓଡିଶା

odisha

ETV Bharat / state

ବିଧାୟକ ବାଣ୍ଟୁଥିଲେ ଶାଢୀ, ଅଟକ ରଖିଲେ ଗ୍ରାମବାସୀ - ଅଟକ ରଖିଲେ ଗ୍ରାମବାସୀ

ଡାବୁଗାଁ ବିଧାନସଭା ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକ ଜିଲ୍ଲା ପରିଷଦ ଯୋନ ୨ ର କଣ୍ଟାମାଳ ପଞ୍ଚାୟତର ରଣ୍ଡାଗୁଡା ଗ୍ରାମରେ ବିଧାୟକ ମନୋହର ରନ୍ଧାରୀଙ୍କ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ l ଅଧିକ ପଢନ୍ତୁ

ଡାବୁଗାଁ
ବିଧାୟକ ବାଣ୍ଟୁଥିଲେ ଶାଢୀ, ଅଟକ ରଖିଲେ ଗ୍ରାମବାସୀ

By

Published : Feb 12, 2022, 10:51 PM IST

Updated : Feb 13, 2022, 7:52 AM IST

ନବରଙ୍ଗପୁର: ବିଧାୟକଙ୍କ ଗାଡିରୁ ଜବତ ହେଲା ଶାଢୀ । ଭୋଟରଙ୍କୁ ଶାଢ଼ି ବାଣ୍ଟିବା ଅଭିଯୋଗରେ ବିଧାୟକଙ୍କ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଗାଡି ଭିତରୁ ଶାଢୀ ଜବତ ହୋଇଛି । ରଣ୍ଡାଗୁଡା ଗ୍ରାମର ହାଟପଦା ଛକରେ ଲୋକଙ୍କୁ ଶାଢ଼ି ଓ ଟଙ୍କା ବାଣ୍ଟୁଥିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପାପଡାହାଣ୍ଡି ବ୍ଲକ ଜିଲ୍ଲା ପରିଷଦ ଜୋନ ୨ର କଣ୍ଟାମାଳ ପଞ୍ଚାୟତର ରଣ୍ଡାଗୁଡା ଗ୍ରାମରେ ବିଧାୟକ ମନୋହର ରନ୍ଧାରୀଙ୍କ ଗାଡିକୁ ଅଟକ ରଖିଛନ୍ତି ଗ୍ରାମବାସୀ l

ବିଧାୟକ ବାଣ୍ଟୁଥିଲେ ଶାଢୀ,

ଗାଡିରେ ଶାଢୀ, ଟାୱଲ ଏବଂ ଲୁଙ୍ଗି ରଖି ଲୋକଙ୍କୁ ବାଣ୍ଟି ଥିବା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଖବରପାଇ ପାପଡାହାଣ୍ଡି ତହସିଲଦାର ଜଗେଶ୍ବର ଭୋଇ, ପାପଡାହାଣ୍ଡି ଥାନା ଆଇଆଇସି ଶୁଭେନ୍ଦୁ ଶବର ଓ ମଇଦଲପୁର ଫାଣ୍ଡି ଅଧିକାରୀ ଡି. ଦେବୀକୁମାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା । ବିଜେଡି ଓ କଂଗ୍ରେସ କର୍ମୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଥିଲା ।

ପୂର୍ବତନ ବିଧାୟକ ଭୂଜବଳ ମାଝୀ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ତାଙ୍କ ଝିଅଙ୍କ ପାଇଁ କଣ୍ଟାମାଳ ଠାରେ ପ୍ରଚାର କରିବା ସମୟରେ ବିଧାୟକ ରନ୍ଧାରୀ ରଣ୍ଡାଗୁଡା ଗ୍ରାମର ହାଟପଦା ଛକରେ ଲୋକଙ୍କୁ ଶାଢ଼ି ଓ ଟଙ୍କା ବାଣ୍ଟୁଥିବା ନେଇ ଖବର ପାଇଥିଲେ । ସେମାନେ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ବିଧାୟକ ଫେରୁଥିଲେ। ବିଧାୟକଙ୍କ ଗାଡିକୁ ସେମାନେ ଅଟକାଇ ରଖି ନିର୍ବାଚନ କମିସନଙ୍କୁ ଖବର ଦେଇଛନ୍ତି । କୌଣସି ପ୍ରାର୍ଥୀ ଶାଢ଼ି କିମ୍ବା ଭୋଟ ଦେଇ ଭୋଟରଙ୍କୁ ପ୍ରଲୋଭିତ କରିପାରିବେ ନାହିଁ ଏହା ଆଇନରେ ବ୍ୟବସ୍ଥା ରହିଛି। ବିଧାୟକଙ୍କ ଗାଡିକୁ ସିଜ୍ ନହେବା ପର୍ଯ୍ୟନ୍ତ ସେମାନେ ଗାଡିକୁ ଛାଡିବେ ନାହିଁ ବୋଲି ଦାବି କରିଥିଲେ।

ଜିଲ୍ଲାପରିଷଦ ପ୍ରାର୍ଥିନୀ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ବିଧାୟକ ମନୋହର ରନ୍ଧାରୀ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ତାଙ୍କ ଗାଡିରେ ସବୁବେଳେ ଶାଢ଼ିଥାଏ। ସେ ସବୁବେଳେ ବିଭିନ୍ନ ଦଶାଘର ଓ ବିବାହ ଭୋଜିରେ ଯୋଗଦେଇ ତାଙ୍କ ପ୍ରଥା ଅନୁଯାୟୀ ସେ ଶାଢ଼ି ଦେଇଥାନ୍ତି । ଗାଡିରେ ଶାଢ଼ି ରଖିବା ନେଇ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିବା କାରଣରୁ ଶେଷରେ ବାଧ୍ୟ ହୋଇ ଶାଢ଼ିଥିବା ଗାଡିକୁ ତହସିଲଦାର ଓ ଥାନା ଅଧିକାରୀ ଜବତ କରି ପାପଡାହାଣ୍ଡି ଥାନାକୁ ନେଇଛନ୍ତି।

ସେପଟେ ଗୋଟିଏ ଦିନରେ ଦୁଇ ଦୁଇଟି ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମରେ କଂଗ୍ରେସର ପ୍ରଚାର ଗାଡିକୁ ଭଙ୍ଗାରୁଜା କରିଥିବା ବେଳେ ଅନ୍ୟ ଗୋଟିଏ ସ୍ଥାନରେ ବିଧାୟକଙ୍କୁ ଅଟକାଇଛନ୍ତି ପୂର୍ବତନ ବିଧାୟକ ଓ ତାଙ୍କରି ଡାକ୍ତରୀ ଝିଅ ଜିଲ୍ଲାପରିଷଦ ପ୍ରାର୍ଥିନୀ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Feb 13, 2022, 7:52 AM IST

ABOUT THE AUTHOR

...view details