ନବରଙ୍ଗପୁର: ପୁଣି ନିଜର ନିଆରା କାର୍ଯ୍ୟଶୈଳୀ ନେଇ ଚର୍ଚ୍ଚାରେ ଡାବୁଗାଁ ବିଧାୟକ । ଏଥର ଅସହାୟ ଭିକାରୀଙ୍କୁ କମ୍ବଳ ବାଣ୍ଟି କାର୍ତ୍ତିକ ମାସର ମହାପୁଣ୍ୟ ଅର୍ଜନ କରିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଆଉ ପ୍ରମାଣ କରିଛନ୍ତି ମାନବ ସେବା ହିଁ ମାଧବ ସେବା ।
ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାପଡାହାଣ୍ଡି ସଦରମହକୁମା ସ୍ଥିତ ନିଳକଣ୍ଠେଶ୍ବର ମନ୍ଦିର ଏବଂ କେଲିଆ ସ୍ଥିତ ଝାଡେଶ୍ବର ମନ୍ଦିରକୁ ଭଗବାନଙ୍କୁ ଦର୍ଶନ କରିବାକୁ ଯାଇଥିଲେ ଡାବୁଗାଁ ବିଧାୟକ । ସେହି ସମୟରେ ମନ୍ଦିର ପ୍ରାଙ୍ଗଣରେ ବସିଥିବା ଅସହାୟ ଭିକାରୀଙ୍କୁ କମ୍ବଳ ବାଣ୍ଟିଥିଲେ ।
ଭିକାରୀଙ୍କୁ କମ୍ବଳ ବାଣ୍ଟିଲେ ଡାବୁଗାଁ ବିଧାୟକ କେତେବେଳେ ସେ ସଫେଇ କର୍ମଚାରୀଙ୍କ ପାଦ ଧୋଇ, ତ କେତେବେଳେ ଶିକ୍ଷକ ସାଜି ସ୍କୁଲରେ ପାଠ ପଢ଼ାଇଛନ୍ତି । ପୁଣି କେବେ ଅଜଣା ବ୍ୟକ୍ତିର ଶବକୁ କାନ୍ଦରେ ବୋହିବା ଭଳି ମହତ କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି ଡାବୁଗାଁ ବିଧାୟକ ।
ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ସେ ଜିଲ୍ଲାବାସୀଙ୍କ ପ୍ରଶଂସାର ପାତ୍ର ହେଇଛନ୍ତି ସତ କିନ୍ତୁ ତିନି ତିନିଥର ବିଧାୟକ ଭାବେ ଜନସାଧାରଣ ତାଙ୍କୁ ଜନାଦେଶ ଦେଇଥିବା ବେଳେ କାହିଁକି ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲାନି ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଭଳି ମହତ କାର୍ଯ୍ୟ ପାଇଁ ଜିଲ୍ଲାବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ସବୁରି ମୁହଁରେ ଗୋଟିଏ ଚର୍ଚ୍ଚା ବିଧାୟକ ହେବ ତ ଏମିତି !
ନବରଙ୍ଗପୁରରୁ ତପନ ବିଶୋଷୀ, ଇଟିଭି ଭାରତ