ନବରଙ୍ଗପୁର:ଫେରିଲା କୋରୋନା ବଢ଼ିଲା ଚିନ୍ତା । ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ରବିବାର ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ସମୀକ୍ଷା କରିଛନ୍ତି l ଜିଲ୍ଲାରେ ଦ୍ରୁତ ସଂକ୍ରମଣରେ ବ୍ରେକ ଲଗାଇବା ସହ କିଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡି ହେବ ସେନେଇ ସମୀକ୍ଷା ବୈଠକରେ ଉପ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି l ଜିଲ୍ଲାର ପୁରଣା କୋଭିଡ କେନ୍ଦ୍ରରେ ବ୍ୟକ୍ତିଗତ ଭାବରେ ବୁଲି ଦେଖିବା ସହ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ।
ଜିଲ୍ଲାରେ କୋରୋନା ସଂକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l କୋରୋନାର ଏହି ଲହରକୁ ପ୍ରତିହତ କରିବା ପାଇଁ ଜିଲ୍ଲାରେ କିଭଳି ପ୍ରସ୍ତୁତି ରହିଛି ସେ ବାବଦରେ ଜିଲ୍ଲାପାଳ ପ୍ରେସମିଟରେ ସୂଚନା ଦେଇ କହିଛନ୍ତି ଯେ ଆସନ୍ତାକାଲି କୋଭିଡ କେନ୍ଦ୍ର ଖୋଲାଯିବ । ଜିଲ୍ଲାର ସଦର ମହକୁମା ଡାକ୍ତରଖାନାରେ ୧୪ଟି ଶଯ୍ୟା ବିଶିଷ୍ଟ କୋଭିଡ ୱାର୍ଡ ପ୍ରସ୍ତୁତ କରାଯାଇଥିବା ଏବଂ ସେଥିମଧ୍ୟରୁ ୫ ଟି ଶିଶୁ ମାନଙ୍କ ପାଇଁ ଉପଲବ୍ଧ କରାଯାଇଥିବା ସୂଚନା ଦେଇଛନ୍ତି । ଜିଲ୍ଲାର ପ୍ରଥମ ଓ ଦ୍ଵିତୀୟ ଲହର ସମୟରେ କାର୍ଯ୍ୟକାରୀ ହୋଇଥିବା ଜିଲ୍ଲା ବିଇଡି କଲେଜ ହିରଲୀ ଠାରେ ୧୮୪ ଶଯ୍ୟା ବିଶିଷ୍ଟ ଓ ୧୨ ଗୋଟି ଆଇସିୟୁ ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।