ନବରଙ୍ଗପୁର: ମୁଣ୍ଡର ଝାଳ ତୁଣ୍ଡରେ ମାରି ଧାର କରଜ କରି କ୍ଷେତରେ ସୁନା ଫଳାଉଛି ଚାଷୀ l ଧାନ ଗଛରେ କେଣ୍ଡା ଧରିଲାଣି l ଏବେ କ୍ଷୀର ଓ ଧାନ ଧରିବା ବେଳକୁ ମୂଳରୁ ରସ ଶୋଷି ନେଉଛି ପୋକ l ଫଳରେ ଧାନ ଗୁଡିକ ଅଗାଡି ହୋଇଯାଇଛି l ନବରଙ୍ଗପୁର ଜିଲ୍ଲା ଚାଷୀଙ୍କୁ ଚକଡା ପୋକ କରୁଛି କଲବଲ l ଏହି ରୋଗ ଗୋଟିଏ ଜମିରୁ ଆଉ ଗୋଟିଏ ଜମିକୁ ସଂକ୍ରମଣ ବ୍ୟାପିବାରେ ଲାଗିଛି l ସେପଟେ ନବରଙ୍ଗପୁର ବ୍ଲକ ସଦର ମହକୁମା ଓ କିଛି ପଞ୍ଚାୟତ ସଦର ମହକୁମାକୁ ଛାଡି ଦେଲେ ଚାଷୀଙ୍କୁ ରୋଗପୋକ ନିରାକରଣ ପାଇଁ ନା ମିଳୁଛି ଔଷଧ l ଏଭଳି ସ୍ଥିତରେ ଚାଷୀ ମାନେ ଅସହାୟ ହୋଇ ପଡିଛନ୍ତି l ନବରଙ୍ଗପୁର ଜିଲ୍ଲାରେ ଗ୍ରାମାଞ୍ଚଳରେ ରହୁଥିବା ଚାଷୀମାନେ ନା ପାଉଛନ୍ତି ପରାମର୍ଶ ନା ମିଳୁଛି ରିହାତି ଦରରେ କୀଟନାଶକ ଔଷଧ l ବିଶେଷ କରି ଗ୍ରାମାଞ୍ଚଳର ଚାଷୀମାନେ ବହୁ ହଇରାଣ ହେଉଛନ୍ତି l ଔଷଧ ଦୋକାନ ନିକଟକୁ ଧାନ ଗଛ ନେଇ ଗଲେ ଦୋକାନୀ ଯେଉଁ ଔଷଧ ଦେଉଛନ୍ତି ତାକୁ ଭରସା କରି ଜମିରେ ପକାଉଛନ୍ତି l
ଜିଲ୍ଲାରେ ମୋଟ ଏକ ଲକ୍ଷ ତିନି ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା l ଜୁନ ଓ ଜୁଲାଇ ମାସରେ ଧାନ ରୋଇବା ପରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଭଲ ବର୍ଷା ହୋଇଥିବାରୁ ଚଳିତ ବର୍ଷ ପ୍ରାୟତଃ ଜିଲ୍ଲାରେ ଭଲ ଫସଲ ହୋଇଥିଲା l ଜିଲ୍ଲାରେ ସାଧାରଣତଃ ଛୋଟ କିସମର ଧାନ ଯାହାକି 4ରୁ 5ମାସରେ ଅମଳ ହୋଇଯିବ ସେଭଳି ଧାନ ଚାଷୀ ଜମିରେ ଚାଷ କରିଥାନ୍ତି l ଏବେ ଧାନ କ୍ଷୀର ଧରି ପାକଳ ହେବା ସମୟରେ ଅର୍ଥାତ ପ୍ରାୟ 15 ଦିନ ହେବ ଧାନ ଫସଲରେ ପୋକ ଲାଗି ଚାଷୀଙ୍କୁ ଚିନ୍ତାରେ ପକାଇଛି l ଏଭଳି ସମୟରେ ଧାନ ଗଛର ମୂଳରେ ମାଟିଆଗୁଣ୍ଡି ପୋକ ଲାଗି ମୂଳର ରସକୁ ଶୋସି ଦେଉଛି l ଫଳରେ ଧାନ ଗଛ ଶୁଖିଯିବା ସହ ଧାନ ଅଗାଡିରେ ପରିଣତ ହେଉଛି l ଆଖି ଆଗରେ ହସୁଥିବା ଧାନ ଫସଲ ଉଜୁଡିଯାଉଥିବାରୁ ଚିନ୍ତାରେ ପଡିଛି ଚାଷୀ l ଧାନ କେଣ୍ଡା ଧରି ଚାଷୀ ବିଭିନ୍ନ କୀଟନାଶକ ଔଷଧ ଦୋକାନ କୃଷି ବିଭାଗର ଗ୍ରାମସେବକଙ୍କ ନିକଟକୁ ଦୌଡ଼ିବାରେ ଲାଗିଛନ୍ତି l