ନବରଙ୍ଗପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି । କ୍ରମାଗତ ଭାବେ ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଶୁକ୍ରବାର ଜିଲ୍ଲାରେ 850 ଜଣଙ୍କର ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ 102 ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
କୋରୋନା କାଳ, ନବରଙ୍ଗପୁର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 28ଶହ ମୁହାଁ ତେବେ 102 ଜଣ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ 28 ଜଣ, ଡାବୁଗାଁ ବ୍ଲକରୁ 17 ଜଣ, ନନ୍ଦାହାଣ୍ଡି ବ୍ଲକରୁ 14 ଜଣ ଓ ପାପଡାହାଣ୍ଡି ବ୍ଲକରୁ 13 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଷାଗୁମୁଡା ବ୍ଲକରୁ 8 ଜଣ, ନବରଙ୍ଗପୁର ବ୍ଲକରୁ 6 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 6 ଜଣ, ଉମରକୋଟ ପୌରାଞ୍ଚଳରୁ 4 ଜଣ ।
ସେହିପରି ଉମରକୋଟ ବ୍ଲକରୁ 2 ଜଣ, ରାଇଘର ବ୍ଲକରୁ 2 ଜଣ, ଝରିଗାଁ ଏବଂ ଚନ୍ଦାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ଆଜିର ଚିହ୍ନଟ 102 ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2776 ରହିଥିବାବେଳେ ସେମାନଙ୍କ ମଧ୍ୟରୁ 1748 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି 1006 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ 850 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 59995 କୋରୋନା ଟେଷ୍ଟ କରାଯାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ