ନବରଙ୍ଗପୁର:ଜଳିଗଲା ଝାଳବୁହା ଫସଲ । ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇ ଜାଳିଦେଲେ ଏକର ଏକର ଜମି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମି ଅଧିକାରକୁ ନେଇ କପସାଭଟା ଗ୍ରାମରେ ଘର ପୋଡିବା ଶହ ଶହ ଏକର ମକା ଚାଷ ନଷ୍ଟ କରିଦେଲେ ନିକଟସ୍ଥ ସିରିଲିଗୁଡ଼ା, କୁସୁମଗୁଡ଼ା,କସରାଭଟା ଭଳି ଆଠ ଖଣ୍ଡ ଗ୍ରାମର ଲୋକେ ।
ଖବରଅନୁସାରେ, କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମର ପ୍ରାୟ ଶହେ କନ୍ଧ ଜନଜାତି ପରିବାର ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଜଙ୍ଗଲ ଜମିରେ ବସବାସ କରିବା ସହ ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ତେବେ ୨୦୦୫ ମସିହାରୁ କୁସୁମଗୁଡା ବନ ସୁରକ୍ଷା ସମିତି ଏହି ତିନି ଗ୍ରାମର ବସତି ହଟାଇବା ଦାବି କରିବା ସହ ପ୍ରତି ବର୍ଷ ଫସଲ ନଷ୍ଟ କରି ଆସୁଥିଲେ । ଏହାକୁ ନେଇ ଅନେକ ଥର ଏହି ତିନି ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପ୍ରତି ବର୍ଷ ବର୍ଷା ଋତୁରେ ଏହି ତିନି ଗ୍ରାମର ଶହ ଶହ ଏକର ଜମିର ମକା ଫସଲ ନଷ୍ଟ କରି ଦେଉଥିଲେ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା । ତେବେ ଶନିବାର ବନ ସୁରକ୍ଷା ସମିତି ଅନ୍ତର୍ଗତ ୮ ଖଣ୍ଡ ଗ୍ରାମର ହଜାରରୁ ଊର୍ଦ୍ଧ୍ୱ ମହିଳା ଏବଂ ପୁରୁଷ ଏହି ଗ୍ରାମବାସୀଙ୍କର ଫସଲ ଗୁଡିକୁ କାଟି ନଷ୍ଟ କରି ଦେଇଥିବା ବେଳେ, ଜମିରେ ଗାଇ ଗୋରୁ ଛାଡି ଦେଇଥିଲେ । ଏହାସହ କପସାଭଟ୍ଟା ଗ୍ରାମର କିଛି ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ବନ ସୁରକ୍ଷା ସମିତିର ଲୋକେ ।