ନବରଙ୍ଗପୁର:ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ପାଇଁ ବଢୁଛି ଅଡ଼ୁଆ । ପୁଣି ଥରେ ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କୁ ଗିରଫ ଦାବି କରି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଛି କଂଗ୍ରେସ । ବିଧାୟକଙ୍କ ନିଜସ୍ଵ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ବ୍ଲକର ସିଂଶାରୀ ଫାଣ୍ଡି ଘେରାଉ କରିଛି ଦଳ । ଯୌନ କେଳେଙ୍କାରୀ ମାମଲାରେ ଛନ୍ଦି ହୋଇଥିବା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ତେଜୁଛି ପ୍ରତିବାଦ ।
ଝରିଗାଁ ବିଧାୟକଙ୍କ ନାଁରେ ଯୌନ କେଳେଙ୍କାରୀ ମାମଲା;ପୀଡିତାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲା କଂଗ୍ରେସ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପ୍ରଥମେ ଏକ ସଭାରେ ବିଧାୟକଙ୍କ କଳା କାରନାମାର ଚିଠା ଖୋଲିଥିଲା କଂଗ୍ରେସ । ପରେ ଜିଲ୍ଲା ସଭାପତି ମୁନା ତ୍ରିପାଠୀଙ୍କ ନେତୃତ୍ଵରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ଯାଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କ ବିୟୋଗ ଶୋକରେ କାନ୍ଦିଥିଲେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ।
ଏନେଇ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଥାନା ଅଧିକାରୀ କୁବେର ଦିଗାଲଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏଥିସହ ବିଧାୟକଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଏବଂ ମହିଳା ଜଣଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଏପରି ଭାବରେ ବିଭିନ୍ନ ଥାନା ଘେରାଉ କରିବ । ଦରକାର ପଡିଲେ ଆଗାମୀ ଦିନରେ SP ଅଫିସ ମଧ୍ୟ ଘେରାଉ କରି ସମଗ୍ର ଜିଲ୍ଲାକୁ ବନ୍ଦ କରିବାକୁ କଂଗ୍ରେସ ଚେତାବନୀ ଦେଇଛି ।
ବିଜେଡି ଦଳ ମାଆକୁ ସମ୍ମାନ କଥା କହୁଛି କିନ୍ତୁ ଦଳରେ ମହିଳାଙ୍କ ପାଇଁ ସମ୍ମାନ ନାହିଁ । ନଚେତ ଦଳର ବିଭିନ୍ନ ନେତାଙ୍କ ବିରୁଦ୍ଧରେ ଯୌନ କେଳେଙ୍କାରୀ ମାମଲା ସାମନାକୁ ଆସୁଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହିଁକି କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତ୍ରୀ ହାରାବତୀ । ଏଥିସହ ବିଧାୟକ ପ୍ରକାଶ ମାଝୀଙ୍କୁ ଗିରଫ କରିବା ସହ ଅଭିଯୋଗକାରିଣୀଙ୍କୁ ନ୍ୟାୟ ନ ମିଳିଲେ କଂଗ୍ରେସ ମହିଳା ମୋର୍ଚ୍ଚା ପକ୍ଷରୁ ସମ୍ପୂର୍ଣ୍ଣ ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ