ନବରଙ୍ଗପୁର: ସାରାବିଶ୍ବକୁ ଏବେ କୋରୋନା ଚିନ୍ତା ଥିବା ବେଳେ ପ୍ରଶାସନର ଅବ୍ୟବସ୍ଥାକୁ ନେଇ କଂଗ୍ରେସ କଲା ସମାଲୋଚନା । କୋରୋନା ମହାମାରୀ ପାଇଁ ପ୍ରଶାସନ କରିଥିବା ବ୍ୟବସ୍ଥାକୁ ନେଇ ଶୁକ୍ରବାର ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଉଭୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି l ମୀରଗାନଗୁଡା ସ୍ଥିତ ନିଜ ବାସଭବନରେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ପ୍ରଶାସନର ଅବହେଳା ଓ ଅବ୍ୟବସ୍ଥା ପାଇଁ ଆଗାମୀ ଦିନରେ ଜିଲ୍ଲାରେ କୋରୋନା ଅଣାୟତ୍ତ ହେବ ବୋଲି ସେ ଆଶଙ୍କା କରିଛନ୍ତି l
ପ୍ରତିଦିନ ଜିଲ୍ଲାକୁ ପ୍ରାୟ 1000ରୁ ଉର୍ଦ୍ଧ ଶ୍ରମିକ ରାଜ୍ୟ ଓ ଜିଲ୍ଲା ବାହାରୁ ନବରଙ୍ଗପୁରକୁ ଆସୁଛନ୍ତି l ଏଥିସହ ପ୍ରବାସୀ ଶ୍ରମିକ ମାନଙ୍କୁ ପରିବହନ ଖର୍ଚ୍ଚ ଦେବି ବୋଲି କହି ତାହା ନଦେବାରୁ ବାଧ୍ୟ ହୋଇ 40 ରୁ ଉର୍ଦ୍ଧ ଶ୍ରମିକ ଚାଲି ଚାଲି ଆସୁଥିବା ଅଭିଯୋଗ ହୋଇଛି । ସେମାନଙ୍କ ଭରଣ ପୋଷଣ ପାଇଁ ପ୍ରଶାସନ 7500 ଟଙ୍କା ପ୍ରଦାନ କରୁ ନଚେତ ସେମାନଙ୍କ ଅନାହାରରେ ମୃତ୍ୟୁ ହେବ ବୋଲି କହିଛନ୍ତି l ଅନ୍ୟପଟେ ଜିଲ୍ଲାରେ ପ୍ରାୟ 10ହଜାର 500 ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ କେନ୍ଦ୍ର ରହିଥିବା ବେଳେ ଜିଲ୍ଲାକୁ ପ୍ରାୟ 50ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ଆସିବେ ବୋଲି ସୂଚନା ରହିଛି । ବଳକା ପ୍ରାୟ 50 ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ଯଦି କ୍ବାରେଣ୍ଟାଇନରେ ନରୁହନ୍ତି ଜିଲ୍ଲାରେ ବସବାସ କରୁଥିବା 12 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ କରୋନାରେ ଗ୍ରାସିତ ହେବେ ବୋଲି ପ୍ରଦୀପ କହିଛନ୍ତି ।