ନବରଙ୍ଗପୁର: ଗର୍ଭବତୀ ସ୍ତ୍ରୀର ଅଲଟ୍ରାସାଉଣ୍ଡ କରିବା ପାଇଁ ଆସିଥିଲେ ମେଡିକାଲ । ହେଲେ ପ୍ରସବ ପରେ ମିଳିଲା ମଲା ଛୁଆ । ଜଣେ ଡାକ୍ତର ଗର୍ଭରେ ଶିଶୁ ସୁସ୍ଥ ଥିବା କହୁଥିବା ବେଳେ ଅସ୍ତ୍ରୋପଚାରରେ ଜନ୍ମ ହୋଇଛି ମୃତ ଶିଶୁ । ଡାକ୍ତରଙ୍କ ରିପୋର୍ଟରେ ତାଳମେଳ ରହୁନଥିବା ନବରଙ୍ଗପୁର ମେଡିକାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଡାକ୍ତରଖାନାରେ ଶିଶୁ ଅଦଳବଦଳ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ବିରୁଦ୍ଧରେ ।
ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ କୁହାଯାଇଥାଏ । ସେହି ଭଗବାନ ଯଦି ରୋଗୀର ବିଶ୍ବାସ ସହ ଖେଳେ କହିବା କାହାକୁ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିରୋଧରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆସିଛି । ସୁସ୍ଥ ଗର୍ଭବତୀ ପତ୍ନୀଙ୍କୁ ଅଲଟ୍ରାସାଉଣ୍ଡ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ଝରିଗାଁର ସୀମାଞ୍ଚଳ ସାହୁ । ହେଲେ ହଠାତ୍ ସବୁ ହୋଇଯାଇଥିଲା ଓଲଟପାଲଟ । ସୀମାଞ୍ଚଳଙ୍କ ପତ୍ନୀର ଅସ୍ତ୍ରୋପଚାର ପରେ ଡାକ୍ତରଙ୍କ ସୂଚନା ସମସ୍ତଙ୍କୁ ହତଚକିତ କରିଥିଲା । ଗର୍ଭବତୀଙ୍କ ପେଟରେ ଥିବା ପିଲା 12ଦିନ ତଳେ ମରି ଯାଇଥିବା କହିଥିଲେ ଡାକ୍ତର ।
ହେଲେ ପୂର୍ବରୁ ସୀମାଞ୍ଚଳ ଛତିଶଗଡ଼ର ଜଗଦଲପୁର ଠାରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ସେଇଠି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାତୃଗର୍ଭରେ ଶିଶୁ ସୁସ୍ଥ ରହିଛି ଓ ତା ଓଜନ ଦୁଇ କିଲୋଗ୍ରାମ ରହିଥିବା ସୂଚନା ଦେଇଥିଲେ ।
ଏହାପରେ ସେ ଗତ ୨୪ ତାରିଖ ଦିନ ପତ୍ନୀଙ୍କୁ ନେଇ ଉମରକୋଟ ମେଡ଼ିକାଲର ଡାକ୍ତରଙ୍କ ନିକଟରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ସ୍ବାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଗର୍ଭସ୍ଥ ଶିଶୁ ସୁସ୍ଥ ଥିବା ଏବଂ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ ।