ନବରଙ୍ଗପୁର: ପରିବାରର ଇଜ୍ଜତ ପାଇଁ ଅନ୍ଧାର ରାତିରେ ଭଉଣୀର ପ୍ରେମିକକୁ ପିଟିପିଟି ହତ୍ୟା କରିଥିଲା ଭାଇ। ଆଉ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ବସ୍ତାରେ ଭର୍ତ୍ତି କରି ରାସ୍ତାରେ ଫୋପାଡ଼ି ଦେଲା । ମାତ୍ର ଘଟଣାର ୫ ଦିନ ପରେ ଏଭଳି ଚାଞ୍ଚଲ୍ୟକର ମର୍ଡର ଉପରୁ ପରଦା ଉଠାଇଛି ନବରଙ୍ଗପୁର ପୋଲିସ । ଯୁବତୀଙ୍କ ଭାଇ ସମେତ ୪ ଜଣଙ୍କୁ ଗିରଫ କରିଛି ।
ନବରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଦେଉଳା ଗାଁର ଈଶ୍ବର ପୂଜାରୀ (୨୧) କୋଡ଼ିଙ୍ଗା ଥାନା ଅନ୍ତର୍ଗତ ସରଗିଗୁଡ଼ା ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତେବେ ଉଭୟଙ୍କ ସଂପର୍କକୁ ସ୍ବୀକୃତି ମିଳିବ ନାହିଁ ବୋଲି ଦୁହେଁ ଆଶଙ୍କା କରି ପରସ୍ପରକୁ ଲୁଚାଛପାରେ ଭେଟୁଥିଲେ। ଗତ ୧୮ ତାରିଖ ଦିନ ମଧ୍ୟ ନିଜ ଗାଁଠାରୁ ୭ କିଲୋମିଟର ଦୂର ସରଗିଗୁଡ଼ା ଗାଁକୁ ପ୍ରେମିକାଙ୍କୁ ଭେଟିବା ପାଇଁ ଈଶ୍ବର ଗାଁରୁ ବାଇକ୍ ନେଇ ବାହାରିଥିଲେ ।
ସାଥୀରେ ଥିଲେ ଡଙ୍ଗରୀଗୁଡ଼ା ଗାଁର ଜଗନ୍ନାଥ ଗୌଡ଼ ଏବଂ ଦେଉଳା ଗାଁର ମନୋଜ ପୂଜାରୀ । ରାତି ପ୍ରାୟ ୯ଟାରେ ସରଗିଗୁଡ଼ାରେ ପହଞ୍ଚିବା ପରେ ଗାଁ ମୁଣ୍ଡରେ ଦୁଇ ସାଙ୍ଗଙ୍କୁ ଛାଡ଼ି ଦେଇ ଈଶ୍ବର ଏକା ଚାଲିଚାଲି ପ୍ରେମିକାର ଘର ନିକଟରେ ପହଞ୍ଚିଥିଲା । ଅନ୍ଧାର ରାତିରେ ସେ ପ୍ରେମିକାର ଘର ଛାତ ଉପରେ ଚଢ଼ି ଯାଇଥିବାବେଳେ ପୂର୍ବରୁ ହିଁ ପ୍ରେମିକା ଅପେକ୍ଷା କରି ରହିଥିଲା । ତେବେ ଛାତ ଉପରେ ଝିଅ ସହ ଈଶ୍ବରକୁ ଦେଖିବା ପରେ ପ୍ରେମିକାଙ୍କ ପରିବାର ଲୋକ ଗୋଡ଼ାଇଥିଲେ। ପ୍ରାଣ ବିକଳରେ ଈଶ୍ବର ଛାତ ଉପରୁ ଡେଇଁ ପଡ଼ିଥିଲେ ମଧ୍ୟ ପ୍ରେମିକାଙ୍କ ସଂପର୍କୀୟଙ୍କ ହାବୁଡ଼ରେ ପଡ଼ି ଯାଇଥିଲା । ଏହାପରେ ପ୍ରେମିକାଙ୍କ ପରିବାର ସଦସ୍ୟ ସୁଧୀର ମାଝୀ, ମଦନ ମାଝୀ, ସଂପର୍କୀୟ ଭାଇ ଟୁନା ମାଝୀ ଓ ଭିଣୋଇ ଈଶ୍ବର ପୂଜାରୀ ପ୍ରମୁଖ ତା'କୁ କାବୁ କରି ନିସ୍ତୁକ ପିଟିଥିଲେ ।