ନବରଙ୍ଗପୁର:ପଞ୍ଚାୟତ ନିର୍ବାଚନରେ ନବରଙ୍ଗପୁର ଜିଲ୍ଲାରେ ଶାସକ ବିଜେଡିର ବିପୁଳ ବିଜୟ ହୋଇଛି । ୱାର୍ଡରୁ ଜିଲ୍ଲାସ୍ତର ଯାଏଁ ସବୁଜମୟ । ସାରା ଜିଲ୍ଲାରେ ଶଙ୍ଖନାଦ । ଗାଁ ଗାଁରେ ବ୍ରାଣ୍ଡ ନବୀନର ଜବରଦସ୍ତ ପ୍ରଦର୍ଶନ । ପୁରା ନବରଙ୍ଗପୁରରେ ବିଜେଡିର ବଡ ସଫଳତା । ଯାହାକୁ ନେଇ ଜିଲ୍ଲାର ନେତା, କର୍ମୀ ସମସ୍ତେ ଏବେ ପୁରା ଜୋଶରେ ।
ଦଳର ଏହି ବିପୁଳ ବିଜୟ ପରେ ଏବେ ବ୍ଲକ ଅଧ୍ୟକ୍ଷକୁ ନେଇ ବଢିଛି ଚିନ୍ତା । କାରଣ ଜିଲ୍ଲାରୁ ବିରୋଧୀ ସଫା ହୋଇଯିବା ପରେ ଏବେ ଶାସକ ଦଳରେ ଅଧ୍ୟକ୍ଷ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ । ସମସ୍ତ ଆଶାୟୀ ନିଜ ନିଜ ସ୍ତରରେ କରୁଛନ୍ତି ଗୋଟି ଚାଳନା । କାହାକୁ ମିଳିବ ବ୍ଲକ ଅଧ୍ୟକ୍ଷ କିଏ ହେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତାହାକୁ ନେଇ ଚର୍ଚ୍ଚା । ଏପରି ସ୍ଥିତିରେ ଗୋଷ୍ଠୀ କନ୍ଦଳକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।
ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜିଲ୍ଲ୍ଲାର 10 ଟି ବ୍ଲକରେ ଜିତିଥିବା ପ୍ରାୟ ସବୁ ସମିତି ସଭ୍ୟ ଓ ସଭ୍ୟା ଏବେ ଅଜ୍ଞାତବାସରେ। କିଏ କେଉଁ ବ୍ଲକରେ ଅଧ୍ୟକ୍ଷ ହେବେ, କିଏ କାହାକୁ ସମର୍ଥନ କରିବେ ଅଜ୍ଞାତବାସରେ ଥାଇ ଚାଲିଛି ରଣନୀତି । ଆଉ ଜିଲ୍ଲାର 3 ଦଳୀୟ ବିଧାୟକ ଜଣେ ସାଂସଦ ମଧ୍ୟ ନିଜ ନିଜ ବିଶ୍ବସ୍ତଙ୍କୁ ଆଶ୍ବସ୍ତି ଦେଉଛନ୍ତି ।