ନବରଙ୍ଗପୁର:ନଗରପାଳଙ୍କୁ ଦୁର୍ବବ୍ୟବହାର ଘଟଣାରେ ମଙ୍ଗଳବାର 12 ଘଣ୍ଟିଆ ବନ୍ଦ ପାଳିଥିଲା ଜିଲ୍ଲା ବିଜେପି । ପ୍ରଶାସନ ସହ ଆଲୋଚନା ବିଫଳ ହେବାରୁ ବନ୍ଦ ଡାକରା ଦେଇଥିଲା ବିଜେପି । ବନ୍ଦରେ ଚକ ଅଖ ବନ୍ଦ ହୋଥିଲା । ଜାତୀୟ ରାଜପଥକୁ ଅବରୋଧ କରିବା ଦ୍ବାରା ହଜାର ହଜାର ଗାଡି ସହର ବାହାରେ ଦୁଇ ପାର୍ଶ୍ଵରେ ଅଟକି ରହିଥିଲା । ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଥିଲା । ପ୍ରଶାସନ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା ଜିଲ୍ଲା ବିଜେପି ( bjp protest called off ) । 15 ଦିନ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରାଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛି ବିଜେପି ।
ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ନିଜେ ଜିଲ୍ଲାପାଳ ଆସି ବିଜେପିର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ । ଏବଂ ଧାରଣାରୁ ଉଠିବା ପାଇଁ ନିବେଦନ କରିଥିଲେ । ତେବେ ଜିଲ୍ଲାପାଳଙ୍କ କଥାକୁ ମାନି ବିଜେପି ଧାରଣା ପ୍ରତ୍ୟାହୃତ କରିବା ସହ ଜିଲ୍ଲା ପ୍ରଶାସନକୁ ୧୫ ଦିନର ସମୟ ଦେଇଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନନେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଏବଂ ଜିଲ୍ଲା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଘଟଣା ପରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମସ୍ତ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଛି । ଏହି ବନ୍ଦ ଦ୍ବାରା ସାଧାରଣ ଜନତା ଯଦି ହଇରାଣ ହୋଇଛନ୍ତି ତେବେ ସମସ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛି ଦଳ ।