ନବରଙ୍ଗପୁର: ଜିଲ୍ଲାର ଚୀରସ୍ରୋତା ନଦୀ ଇନ୍ଦ୍ରାବତୀର ପାଣି ବ୍ୟବହାର କରି କଳାହାଣ୍ଡି ଶସ୍ୟଶ୍ୟାମଳା ହୋଇପାରିଛି । ନବରଙ୍ଗପୁର ଜିଲ୍ଲାର ପାଣିରୁ ବିଦ୍ୟୁତ ବାହାରକରି ସରକାର କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଛନ୍ତି । ଇନ୍ଦ୍ରାବତୀ ନଦୀରେ ଡ୍ୟାମ କରିବା ଫଳରେ ନବରଙ୍ଗପୁର ଜିଲ୍ଲା ବାସୀ ବିସ୍ଥାପିତ ହେଲେ କିନ୍ତୁ କଳାହାଣ୍ଡିରେ ସୁନା ଫଳିଲା । ଏକ ଲକ୍ଷରୁ ଅଧିକ ଜମିକୁ ଜଳସେଚନ ହୋଇପାରିଲା । ଏବେ ପୁଣି ସରକାର ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ଲିଫ୍ଟ ଜରିଆରେ ଜଳସେଚନ ସୁଵିଧା କରିଛନ୍ତି । ଯାହାକି ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ପାଇଁ ଅଭିଶାପ ସଦୃଶ । ଏଭଳି ଅଭିଯୋଗ କରି ନବରଙ୍ଗପୁର ଜିଲ୍ଲା ବିଜେପି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ।
ନବରଙ୍ଗପୁରରେ ଥିବା ଇନ୍ଦ୍ରାବତୀ, କପୁର, ମୁରାନ, ପଡ଼ାଗଡ଼ର ଉପର ମୁଣ୍ଡରେ ଡ୍ୟାମ କରାଯାଇ କଳାହାଣ୍ଡି ଜିଲ୍ଲାରେ ଜଳ ସେଚନ କରାଯାଇଛି । ଯାହାଫଳରେ କଳାହାଣ୍ଡି ଜିଲ୍ଲାର ଏକ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇପାରିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ତଳ ମୁଣ୍ଡରେ ଥିବା ଜମି ଗୁଡିକ ଜଳ ସେଚନ ଅଭାବରୁ ମରୁଡି ଗ୍ରସ୍ତ ହୋଇସାରିଛି। ଅନ୍ୟପକ୍ଷରେ କଳାହାଣ୍ଡିରେ ପୁଣି ୨୦ ହଜାର ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶୁଭଦେଇଛନ୍ତି ।