ନବରଙ୍ଗପୁର:ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି ଜିଲ୍ଲା ବିଜେପି l ଏନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହା ସହ ଜଣେ ପୋଲିସ ଅଧିକାରୀ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାକୁ ନେଇ ଗର୍ଜିଛି ବିଜେପି । ଅନ୍ୟପଟେ ବିଜେଡି ପକ୍ଷରୁ ମଧ୍ୟ କେନ୍ଦ୍ରର ଚାଷୀ ମାରଣାନୀତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ରାଜ୍ୟରେ ପୂର୍ବରୁ ଘଟିଥିବା ସମସ୍ତ ଘଟଣାକୁ ଦୋହରାଇବା ସହ ସବୁବେଳେ ସବୁ କ୍ଷେତ୍ରରେ ସରକାର ପଛରେ ବୋଲି ଅଭିଯୋଗ କରିବା ସହ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ସ୍ବର ଉଠାଇଛି । ବିଜେପିର କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ସହ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସମେତ ସମସ୍ତ ବିଜେପି କର୍ମୀ ଉପସ୍ଥିତ ଥିଲେ । ଆଜି ବିଜେପିକୁ କଡା ଜବାବ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଗତକାଲି ବିରୋଧୀ ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଅଶାଳୀନ ବ୍ୟବହାର ପାଇଁ ତୀବ୍ର ସମାଲୋଚନା କରିଛି ।
ଏହା ସହ ଚାଉଳ ଠକେଇ ପାଇଁ ମୋଦି ସରକାରଙ୍କ ବିରୋଧରେ ନାରାବାଜି କରି ଜିଲ୍ଲାପାଳଙ୍କ ଅଫିସ ସାମନାରେ ପ୍ରତିବାଦ କରିଥିଲେ ବିଜେଡି କର୍ମୀ । ଗରିବଙ୍କ ଚାଉଳ କାଟକୁ ନେଇ ତୀବ୍ର ନିନ୍ଦା କରିବା ସହ ଧାନ କିଣା ଓ MSPକୁ ନେଇ ମଧ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜିର ବିଜେଡି ପ୍ରତିବାଦ ସଭାରେ ସ୍ଥାନୀୟ ବିଧାୟକ ସଦାଶିବ ପ୍ରଧାନୀ ସହ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସମେତ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲାରେ ବିଜେଡି ବିଜେପି ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ବେଳେ ସାଧାରଣ ଜନତା ଉପରେ ଏହାର ବିଶେଷ ପ୍ରଭାବ ପକାଉଛି ।