ନବରଙ୍ଗପୁର:କୃଷିରେ ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ସହିତ ଅନେକ ସମସ୍ୟା ଜଡିତ । ମୃତ୍ତିକା ସ୍ବାସ୍ଥ୍ୟ ରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ଜୈବିକ ଚାଷ ଏବଂ ଜୈବସାର ର ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି । ସମ୍ପ୍ରତି ଭାରତରେ ବହୁ ପରିମାଣରେ ଜୈବିକ ସାର ବଜାରରେ ଉପଲବ୍ଧ ହେବା ଆରମ୍ଭ କରିଛି ଏଥିପାଇଁ ସରକାର ତରଫରୁ ବ୍ୟାପକ ପ୍ରୋତ୍ସାହନ ସହ ସୁଯୋଗ ସୃଷ୍ଟି କରିଛନ୍ତି କିଛି ଉଦ୍ୟୋଗୀ ଏହାର ଭରପୁର ଲାଭ ଉଠାଇ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ୍ୟ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ପ୍ରଥମ ବାୟୋଫାର୍ଟିଲାଇଜର ୟୁନିଟ ଖୋଲି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଉଦ୍ୟୋଗୀ କୃଷ୍ଣ ନାୟକ ।
ନବରଙ୍ଗପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା, ଜିଲ୍ଲାରେ ଧାନ, ମକା, ବିଭିନ୍ନ ପନିପରିବା ପ୍ରମୁଖ କୃଷିଜାତ ଦ୍ରବ୍ୟ । ତେବେ ବିଡମ୍ବନା ଏୟା ଯେ ରସାୟନିକ ସାର ବ୍ୟବହାର କରିବାରେ ଜିଲ୍ଲା ରାଜ୍ୟରେ ଦ୍ଵିତୀୟ । ତେବେ ଏହାକୁ ପ୍ରତିହତ କରିବା ପାଇଁ ଆଶାର ଆଲୋକ ଭାବରେ ନବରଙ୍ଗପୁର ଜିଲ୍ଲାରେ ସ୍ଥାପିତ ହୋଇଛି ଏକ ବାୟୋ ଫାର୍ଟିଲାଇଜର ୟୁନିଟ । ଏହି ୟୁନିଟ ଦକ୍ଷିଣ ଓ ପଶ୍ଚିମ ଓଡିଶାର ପ୍ରଥମ ବାୟୋଫାର୍ଟିଲାଇଜର ୟୁନିଟ । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ସରୁଗୁଡା ଠାରେ ରହିଛି ବାୟୋ ଫାର୍ଟିଲାଇଜର ଉତ୍ପାଦନ ୟୁନିଟ । ଆକାଙ୍ଖି ଜିଲ୍ଲା ନବରଙ୍ଗପୁର ଠାରେ କେନ୍ଦ୍ର ସରକାରଙ୍କ 12ଟି କେନ୍ଦ୍ରୀୟ ଅନୁଷ୍ଠାନ ସହଯୋଗରେ ଚାଲିଥିବା ପାଇଲଟ ପ୍ରକଳ୍ପ ବୈଜ୍ଞାନିକ ଜ୍ଞାନ କୌଶଳରେ କୃଷିକ୍ଷେତ୍ରର ଉନ୍ନତି କାର୍ଯ୍ୟକ୍ରମର ଏହା ହେଉଛି ଏକ ଅଂଶ ବିଶେଷ । ଏହି ବାୟୋ ଫାର୍ଟିଲାଇଜର ୟୁନିଟଟି କୃଷି ଉଦ୍ୟୋଗୀ କୃଷ୍ଣ ନାୟକଙ୍କ ଫାର୍ମରେ କାର୍ଯ୍ୟକ୍ଷମ ହୋଇଛି ।
ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆର୍ଥିକ ସହାୟତା ଓ ରାଷ୍ଟ୍ରୀୟ ବନଷ୍ପତ୍ତି ଅନୁସନ୍ଧାନ କେନ୍ଦ୍ର ଲକ୍ଷ୍ନୌର ବୈଜ୍ଞାନିକ ମାନଙ୍କ ପ୍ରଯୁକ୍ତି ଓ କାରିଗରୀ ଜ୍ଞାନ କୌଶଳ ଓ ପରାମର୍ଶ କ୍ରମେ ଏହି ୟୁନିଟ ପରିଚାଳନା କରାଯାଉଛି । ରାଷ୍ଟ୍ରୀୟ ବନଷ୍ପତ୍ତି ଅନୁସନ୍ଧାନ କେନ୍ଦ୍ର ଲକ୍ଷ୍ନୌର ବୈଜ୍ଞାନିକ ଓ ଜିଲ୍ଲା କୁଷି ବିଭାଗର ଅଧିକାରୀ ମାନେ ନିୟମିତ ବ୍ୟବଧାନରେ ୟୁନିଟକୁ ଆସି କାର୍ଯ୍ୟ ତଦାରଖ କରିଥାନ୍ତି । ଏହି ୟୁନିଟ ସ୍ଥାପନା ହେବା ଦ୍ବାରା ବାୟୋ ଫର୍ଟିଲାଇଜର ଉତ୍ପାଦନ ଠାରୁ ଆରମ୍ଭ କରି ବିକ୍ରୟ କାର୍ଯ୍ୟ ତଦାରାଖ ପାଇଁ ପ୍ରାୟ ଏକ ଶହ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି l