ନବରଙ୍ଗପୁର:ଲଣ୍ଡନର ରୟାଲ ସୋସାଇଟି ଅଫ୍ ଆର୍ଟ୍ସ୍(Royal Society of Arts) ପକ୍ଷରୁ ପୁରସ୍କୃତ ହେଲେ ନବରଙ୍ଗପୁରର ବିଭୁତି ଭୂଷଣ ପଟ୍ଟନାୟକ । ବୈଷୟିକ ଜ୍ଞାନ କୌଶଳର ଉପଯୋଗ, ପରିବେଶ ପରିବର୍ତ୍ତନର ବାର୍ତ୍ତାବହକ, ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ସଂସ୍ଥା ପକ୍ଷରୁ ପୁରସ୍କୃତ କରାଯାଉଛି । ଏହି କ୍ରମରେ ବିଭୁତି ଭୂଷଣ ପଟ୍ଟନାୟକ ଏହି ସମ୍ମାନ ହାସଲ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ବିଭୁତିଙ୍କୁ ସମ୍ବର୍ଦ୍ଧିତ କଲା ରୟାଲ ସୋସାଇଟି ଅଫ୍ ଆର୍ଟ୍ସ୍ ବିଭୁତିଙ୍କୁ ସମ୍ବର୍ଦ୍ଧିତ କଲା ରୟାଲ ସୋସାଇଟି ଅଫ୍ ଆର୍ଟ୍ସ୍ ଇଂଲଣ୍ଡରେ 'ହେଲ୍ପ ଦି ପୁର୍' ନାମକ ଏକ ସଂସ୍ଥା ଗଠନ କରି ପାଣ୍ଠି ସଂଗ୍ରହ କରୁଥିଲେ ବିଭୁତି ଭୂଷଣ । ଉକ୍ତ ପାଣ୍ଠିକୁ କୋଲକାତାସ୍ଥିତ କ୍ୟାନ୍ସର ହସ୍ପିଟାଲକୁ ସେ ଦାନ କରିଥିଲେ । ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପାଣ୍ଠି ପ୍ରଦାନ କରିବା, ଶିଶୁଙ୍କ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପକୁ ପାଣ୍ଠି ପ୍ରଦାନ କରିବା, ଇଂଲଣ୍ଡରେ ବାସଗୃହହୀନ ପରିବାରଙ୍କୁ ସାହାଯ୍ୟ କରିବା ଆଦି କ୍ଷେତ୍ରରେ କାମ କରୁଛନ୍ତି ବିଭୁତି ଭୂଷଣ । ବିଭୁତି ଏବେ ଲଣ୍ଡନରେ ସିଟି ଓ ଗିଲ୍ସ ନାମକ ଏକ ସଂସ୍ଥାରେ କନସଲ୍ଟାଣ୍ଟ୍ ଭାବେ କାର୍ଯ୍ୟ କରୁଛନ୍ତି ।
ଏହାସହ ସେ ସେଭ୍ ପ୍ଲାନେଟ୍, ୱାନ୍ ଓଡ଼ିଶା ଟିଭି, ଲେଟ୍ ମାଷ୍ଟର ଡଟ୍.କମ୍ ଆଦି ପ୍ରତିଷ୍ଠା କରିଛନ୍ତି । ଏହି ସଂସ୍ଥା ମାଧ୍ୟମରେ ବିଶ୍ୱରେ ସାମାଜିକ ପରିବର୍ତ୍ତନ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେହିପରି ସେ ମାମବୋଜି ନାମକ ଏକ ସଂସ୍ଥା ମାଧ୍ୟମରେ ନିଯୁକ୍ତି ସନ୍ଧାନରେ ଥିବା ଭାରତୀୟଙ୍କୁ ତାଲିମ ପ୍ରଦାନ କରିଛନ୍ତି । ବିଭୁତିଙ୍କ ଏହି ପୁରସ୍କାର ନବରଙ୍ଗପୁର ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ଓଡ଼ିଶାରେ ପୂର୍ବରୁ ଜଣେ ବ୍ୟକ୍ତି ଏହି ପୁରସ୍କାର ପାଇଥିବା ବେଳେ ସେ ଇଂଲଣ୍ଡର ନାଗରିକତ୍ୱ ଲାଭ କରିସାରିଛନ୍ତି । ରାଜ୍ୟର ଦ୍ବିତୀୟ ବ୍ୟକ୍ତି ଭାବରେ ବିଭୁତି ଏହି ପୁରସ୍କାର ହାସଲ କରିଛନ୍ତି ।
୧୭୪୫ ମସିହାରେ ଲଣ୍ଡନରେ ରୟାଲ ସୋସାଇଟି ଅଫ୍ ଆର୍ଟ୍ସ୍ ପ୍ରତିଷ୍ଠା ହୋଇଥିଲା । ୧୮୪୭ରେ ଏହି ସଂସ୍ଥାକୁ ରୟାଲ ଷ୍ଟାଟସ ମିଳିଥିଲା । ପ୍ରତିବର୍ଷ ବିଶ୍ୱର ସାମାଜିକ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ ବିକାଶ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବିଶ୍ୱର ୧୦୦ ଜଣକୁ ଏହି ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି । ୨୬୦ ବର୍ଷ ଧରି ଏପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ଜଣଙ୍କୁ ଏହି ସଂସ୍ଥା ପୁରସ୍କୃତ କରିଛି । ସେମାନଙ୍କ ମଧ୍ୟରେ ବେଞ୍ଜାମିନ୍ ପ୍ରାଙ୍କଲିନ୍, ମାଡାମ କ୍ୟୁରୀ, କାର୍ଲ ମାସ୍କ, ଚାର୍ଲି ଡିକନେସ୍, ଷ୍ଟିଫେନ୍ ହକିଂ, ନେଲସନ୍ ମାଣ୍ଡେଲା, ଟିମ୍ ବର୍ନରସ୍ ଲି, ଜୁଡି ଡେଞ୍ଚ, ଆଲେକ୍ସ ଜେମ୍ସ ପ୍ରମୁଖ ଏହି ପୁରସ୍କାର ପାଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ