ନବରଙ୍ଗପୁର:ନବରଙ୍ଗପୁର ବ୍ଲକ ଭତରାସିଉନି ଗ୍ରାମରେ ଭାଲୁ ଆତଙ୍କ । ସପ୍ତାହେ ହେଲା ଲୋକଙ୍କ ଘରେ ପଶୁଛି ଭାଲୁ । ଏନେଇ ପୂରା ଅଞ୍ଚଳରେ ଭାଲୁକୁ ନେଇ ଭୟର ବାତାବରଣ । ତେବେ ଅଭିଯୋଗ ଅନୁସାରେ, ଗତ ଏକ ସପ୍ତାହ ହେଲେ ଭାଲୁଟି ଭତରାସିଉନି ଗାଁରେ ଆତଙ୍କ ସୃଷ୍ଟି କରିଛି । ୪ ଦିନ ପୂର୍ବେ ଗାଁରେ ଏକ ମେଣ୍ଡାକୁ ମାରି ଥିବା ମଧ୍ୟ ଅଭିଯୋଗ ହୋଇଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି । ପ୍ରତିଦିନ ପ୍ରାୟ 4ଟି ଭାଲୁ ରାତିରେ ଗାଁ ଭିତରେ ପ୍ରବେଶ କରୁଥିବା ବେଳେ ସକାଳ ଯାଏଁ ରହୁଛନ୍ତି ବୋଲି ଅଭିଯୋଗ ହୋଇଛି l ସେହିପରି ଗ୍ରାମର ବାବୁଲି ମିଶ୍ରଙ୍କ ଘରେ ପଶିଥିଲା ।
ଅନ୍ୟପଟେ ଭାଲୁର ଅବସ୍ଥିତିକୁ ନେଇ ଗ୍ରାମବାସୀ ବାରମ୍ବାର ନବରଙ୍ଗପୁର ବନ ବିଭାଗକୁ ଖବର ଦେଉଛନ୍ତି । ହେଲେ ବନ ବିଭାଗ ଏନେଇ ଉଚିତ ପଦକ୍ଷେପ ନ ନେଇ କେବଳ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସଚେତନତା କରି ଚାଲିଯାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଭବିଷ୍ୟତରେ ଭାଲୁ କିମ୍ବା ମଣିଷର ଜୀବନହାନୀ ହୋଇପାରେ । ଆଉ ଏଥିପାଇଁ କେବଳ ବନ ବିଭାଗ ହିଁ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ତେଣୁ ବନ ବିଭାଗ ତୁରନ୍ତ ଭାଲୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ନବରଙ୍ଗପୁରରେ ଭାଲୁ ଆତଙ୍କ, ବିଚ ରାସ୍ତାରେ ଛେଳିକୁ ଝୁଣି ଖାଇଲା