ନବରଙ୍ଗପୁର:ପରିବା ହାଟରେ ବିସିଏ ଛାତ୍ର । କୋଶଳା, ପାଳଙ୍ଗ ଓ ମେଥି ପରି ଭଳିକି ଭଳି ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର ଡମ୍ବରୁ ଧର ମାଳି । କଲେଜ ଯାଉଛନ୍ତି ପାଠ ବି ପଢୁଛନ୍ତି, କିନ୍ତୁ ପାଠପଢାରୁ ଚିକିଏ ସମୟ ମିଳିଲେ ପରିବାରର ବୋଝ ମୁଣ୍ଡାଉଛନ୍ତି । ଏଣୁ ସକାଳ ହେଲେ ନବରଙ୍ଗପୁର ପରିବା ହାଟରେ ସାଗର ପସରା ମେଲି ବସି ପଡୁଛନ୍ତି ଡମ୍ବୁର । ଚାଷୀ ପରିବାରର ହୋଇଥିବାରୁ ବାଡ଼ିରେ ହୋଇଥିବା ଭଳିକି ଭଳି ଶାଗ ଆଣି ବିକ୍ରି କରୁଛନ୍ତି ନବରଙ୍ଗପୁର ବଜାରରେ । ଡମ୍ବରୁ ଶାଗ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ବଢ଼ାଉଛନ୍ତି ସହାୟତାର ହାତ ।
କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଆସଙ୍ଗା ଗାଁରେ ଡମ୍ବରୁ ଧରଙ୍କ ଘର । ଜୟପୁର ବିକ୍ରମଦେବ କଲେଜରେ ସେ ସେ ବିସିଏ କୋର୍ସରେ ପାଠ ପଢୁଛନ୍ତି । ଆଉ ଗୋଟିଏ ସେମିଷ୍ଟାର ବାକି ଥିବା ବେଳେ ପାଠ ସରିଲା ପରେ ଚାକିରି ପାଇଁ ଆଶା ବାନ୍ଧି ବସିଛନ୍ତି ଡମ୍ବରୁ। ତେବେ ପାଠ ପଢା ସାଙ୍ଗକୁ ପରିବାର କେମିତି ଚଳାଇବେ ସେନେଇ ଚିନ୍ତା କରୁଥିଲେ । ଏହାପରେ ବାଡିରରେ ଚାଷ ହେଉଥିବା ଶାଗକୁ ବଜାରରେ ବିକ୍ରି କରିବାକୁ ଚିନ୍ତା କଲେ । ଏହାପରେ ବଜାରାକୁ ଯାଇ ଶାଗ ବିକ୍ରି କରିବା ଆରମ୍ଭ କଲେ ଡମ୍ବରୁ । ବର୍ଷସାରା ନିଜ ଜମିରେ କୋଶଳା, ପାଳଙ୍ଗ, ମେଥି, ଧନିଆ ପତ୍ର ଏଭଳି ଚାଷ କରି, ସେଗୁଡିକୁ ପରିବା ବଜାରରେ ବିକ୍ରି କରିଥାନ୍ତି ।