ନବରଙ୍ଗପୁର:ଦୁର୍ଦ୍ଦିନରେ ବାଉଁଶ କାରୀଗର । ବାଉଁଶ ତିଆରି ଜିନିଷ ବିକ୍ରୀ ନହୋଇ ପଡିରହିଛି । କିଣିବାକୁ ଗ୍ରାହକଙ୍କ ମନରେ ଆଗ୍ରହ ନାହିଁ । ବଜାର ସହ ବିକ୍ରୀ ଅଭାବରୁ ଧିରେ ଧିରେ ଏ ବେଉସା ବୁଡିବାକୁ ବସିଲାଣି । ବାଉଁଶରୁ ବିଭିନ୍ନ ପ୍ରକାର ଜିନିଷ ତିଆରି କରି ତାକୁ ବିକ୍ରୀ କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ଏବେ ଚିନ୍ତାରେ ପଡିଛନ୍ତି । ଏପରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ଗ୍ରାମର କାରୀଗର ।
ବାହାଘରଠୁ ନେଇ ଯାନିଯାତ୍ରା ସବୁଥିରେ ବାଉଁଶ ସାମଗ୍ରୀର ଖୋଜା ପଡିଥାଏ । ହେଲେ ସମୟ ସହ ତାଳ ଦେଇ ଆଜିର ମଣିଷର ଚାହିଦାରେ ମଧ୍ୟ ପରିବର୍ତ୍ତନ ହୋଇଛି । ବାଉଁଶରେ ତିଆରି ହେଉଥିବା ଭଳିକି ଭଳି ଜିନିଷର ବର୍ତ୍ତମାନ ଚାହିଦା କମୁଛି । ତାର ଜାଗା ନେଇଛି ପ୍ଲାଷ୍ଟିକ ଜିନିଷ । ଫଳରେ ପୂର୍ବ ଭଳି ଲୋକ ଆଉ ବାଉଁଶ ତିଆରି ଜିନିଷ କିଣୁନାହାନ୍ତି । ଯାହା ବାଉଁଶ କାରୀଗରଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । ଜିନିଷ ବିକ୍ରୀ ନହୋଇ ପାରି ପଡି ରହିଛି । ନବରଙ୍ଗପୁର ଜିଲ୍ଲାର ଅନେକ ବ୍ଲକରେ ଏହି କାରୀଗର ମାନେ ବସବାସ କରି ଆସୁଛନ୍ତି l ପୂର୍ବ ପୁରୁଷର ଏହି ବେଉସାକୁ ପାଥେୟ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ବେଳେ ଆଜିର ଯୁଗରେ ଆଉ ଆଗ ଭଳି ବାଉଁଶରେ ତିଆରି ଜିନିଷର ଚାହିଦା ଧୀରେ ଧୀରେ କମିବାରେ ଲାଗିଲାଣି l ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ଗ୍ରାମରେ ପ୍ରାୟ 30 ରୁ 40 ପରିବାର କେବଳ ବାଉଁଶ କାରୀଗର ଅଛନ୍ତି l ଏମାନେ ବର୍ଷ ତମାମ ବାଉଁଶରେ ତିଆରି ଜିନିଷ ପ୍ରସ୍ତୁତ କରିଛନ୍ତି ସତ କିନ୍ତୁ ଉଚିତ ବଜାର ମୂଲ୍ୟ ପାଇ ପାରୁ ନାହାନ୍ତି l ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ମଧ୍ୟ ସରକାରଙ୍କ ଠାରୁ ଏଯାବତ ପାଇ ନାହାନ୍ତି l ଫଳରେ ପରିବାର ପୋଷଣ କରିବା ନେଇ ଚିନ୍ତାରେ ପଡିଛନ୍ତି କାରୀଗର ।