ନବରଙ୍ଗପୁର:ବାଲ୍ୟ ବିବାହରେ ରୋକ୍ ଲଗାଇବା ପାଇଁ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ଅନ୍ଵେଷା ଅଭିଯାନ । କମ୍ ବୟସରେ ପିଲାଙ୍କୁ ବିବାହ ବନ୍ଧନରେ ନବାନ୍ଧିବା ପାଇଁ ବାପାମାଆଙ୍କ ମଧ୍ୟରେ ସଚତନତା ଆଣିବା ଅନ୍ଵେଷା ଅଭିଯାନର ମୂଳ ଉଦ୍ଦେଶ୍ୟ । ଏହି ଅଭିଯାନ ମାଧ୍ୟମରେ ହେଉଥିବା କାର୍ଯ୍ୟକ୍ରମରେ ଆଉ ପାଦେ ଆଗକୁ ବଢ଼ିଛି ଜିଲ୍ଲା ପ୍ରଶାସନ । ନାବାଳକ ଓ ନାବାଳିକାଙ୍କୁ ସଶକ୍ତ କରାଇବା ସହିତ ବାଲ୍ୟ ବିବାହକୁ ରୋକିବା ଦିଗରେ ଆଜି ମିଶନଶକ୍ତି ସଭାଗୃହରେ ବାଳିକାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠିତ ହୋଇଛି ।
ଜିଲ୍ଲାର ୧୦ଟି ବ୍ଲକରେ ବାଳିକା ମଣ୍ଡଳୀର ୫୦ ଜଣ ସଖୀ ଓ ସେହେଲିମାନଙ୍କୁ ନେଇ ଗଠିତ ଏହି ଜିଲ୍ଲାସ୍ତରୀୟ ମଞ୍ଚକୁ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଆନୁଷ୍ଟାନିକ ଭାବେ ସ୍ଵୀକୃତି ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ସୂଚନା ଦିଆଯାଇଛି ।