ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା । ପୌର ନିର୍ବାଚନ ନାମାଙ୍କନ ପ୍ରକ୍ରିୟା ଚାଲିଥିବା ବେଳେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଲେ ନବରଙ୍ଗପୁର ନଗର କଂଗ୍ରେସ ସଭାପତି ।
ନବରଙ୍ଗପୁର ନଗର କଂଗ୍ରେସ ସଭାପତି ଭୀମ ହରିଜନ କଂଗ୍ରେସର ପ୍ରାଥମିକ ସଦସ୍ୟତା ସହିତ ସମସ୍ତ ପଦ ପଦବୀରୁ ଇସ୍ତଫା ଦେବା ସହ ନିଜ ଇସ୍ତଫା ପତ୍ର ରାଜ୍ୟ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଭୀମ ହରିଜନ ପୂର୍ବରୁ କାଉନସିଲର ଥିଲେ । ଏଥିସହ ଜଣେ ଟାଣୁଆ ନେତା ଭାବେ ପରିଚିତ ଥିବା ବେଳେ ସେ କଂଗ୍ରେସ ଦଳ ତରଫରୁ ନବରଙ୍ଗପୁର ପୌରାଞ୍ଚଳର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାର ଶୀର୍ଷରେ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ସବୁ ଆକଳନକୁ ପଛକୁ ଠେଲି ଦେଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଭୀମ ହରିଜନଙ୍କ ସହ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତାଜ ଇମ୍ରାନ ସରିଫ ମଧ୍ୟ ଇସ୍ତଫା ଦେଇଛନ୍ତି । ଭୀମ ହରିଜନଙ୍କୁ ପ୍ରଦୀପ ମାଝୀଙ୍କ ଅନୁଗତ ଭାବେ ବିବେଚନା କରାଯାଏ । କଂଗ୍ରେସ ଦଳରୁ ଇସ୍ତଫା ସହ ଭୀମ ହରିଜନ ନିଜର ୨୦୦ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଏକ ମିଶ୍ରଣ ପର୍ବରେ ବିଜେଡି ରେ ଯୋଗ ଦେଇଛନ୍ତି ।