ନବରଙ୍ଗପୁର:ଅଙ୍ଗନବାଡିରେ ପଡେ ପିଲାଙ୍କ ମୂଳାଦୁଆ । ତିଆରି ହୁଏ ଭବିଷ୍ୟତ । କିନ୍ତୁ ଏଠି କୁଟାକାଠିରେ ତିଆରି କାନ୍ଥ ଓ ପାଲଟଣା ଛାତ ତଳେ ଚାଲିଛି ପାଠପଢା । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଖନାଗୁଡ଼ା ଗାଁରେ । ସରକାରଙ୍କ ମାଳ ମାଳ ଯୋଜନା ଏଠାକାର ଲୋକ ପାଇଁ ସତେ ଯେମିତି ସାତ ସପନ । କୁନି ପିଲାଙ୍କ ପାଠପଢା ପାଇଁ ଅଙ୍ଗନୱାଡି କେନ୍ଦ୍ର ଅଛି ହେଲେ କେନ୍ଦ୍ରର ନିର୍ମାଣ କାମ ସରି ନଥିବାରୁ ଖୋଲା ଆକାଶ ତଳେ ଏମିତି ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ ।
ତେବେ ଗାଁରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଦୀର୍ଘ ଦିନରୁ ଘର କାମ ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ତାହା ଅଧା ପନ୍ତରିଆ ହୋଇ ପଡି ରହିଛି l ଠିକାଦାର କାମ ସାରୁନାହିଁ କି ପ୍ରଶାସନ ମଧ୍ୟ ତତ୍ପରତା ଦେଖାଉ ନାହିଁ l ଆଉ ଏହାରି ମଧ୍ୟରେ ତିଆରି ହେଉଥିବା ଘର ମଧ୍ୟ ନଷ୍ଟ ହେବାକୁ ବସିଲାଣି । ତେଣୁ ଖରାତରାରେ ଦୀର୍ଘ ବର୍ଷ ହେଲା ପିଲାଏ ଏମିତି ପାଠ ପଢ଼ୁଥିବା ଅଭିଯୋଗ ହୋଇଛି ।
ସେହିପରି ଶିକ୍ଷାକ୍ଷେତ୍ରରେ ଉନ୍ନତି ଓ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସରକାରଙ୍କ ପୁଳାପୁଳା ଯୋଜନା । ହେଲେ ଏହା କେତେ କାମରେ ଲାଗୁଛି ତାହା ସ୍ପଷ୍ଟ ଅନୁମେୟ କରି ହେଉଛି । କିଏ କହୁଛି 2ରୁ 4 ବର୍ଷ ହେଲା ପଖନାଗୁଡ଼ା ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରର ଏମିତି ଅବସ୍ଥା ରହିଛି ତ ଆଉ କିଏ କହୁଛି ଦୀର୍ଘ ବର୍ଷ ଧରି ଏମିତି ଚାଲି ଆସୁଛି । ବର୍ତ୍ତମାନ ବର୍ଷା ଦିନ ଆରମ୍ଭ ହୋଇଥିବା ବେଳେ ପିଲା କେଉଁଠି ବସି ଶିକ୍ଷା ପାଇବେ ତାହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଅଙ୍ଗନୱାଡି କର୍ମୀ ଯଥାଶୀଘ୍ର ଘର ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।