ନବରଙ୍ଗପୁର :ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ । ଗାଁ ଗାଁ ବୁଲି ଛତୁଆ ବାଣ୍ଟୁଛି ପ୍ରଶାସନ । ପ୍ରଶାସନର ଏଭଳି କାର୍ଯ୍ୟକୁ ନେଇ ବେହେରାଗୁଡା ଗାଁରେ ଅଙ୍ଗନବାଡ଼ି କର୍ମୀ ଅସନ୍ତୋଷ ଜାହିର କରିଛନ୍ତି । ଗତ ୨୭ ତାରିଖଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ଅଙ୍ଗନବାଡ଼ି କର୍ମୀ । ଏନେଇ ଜିଲ୍ଲାରେ କାର୍ଯ୍ୟରତ ପ୍ରତି ବ୍ଲକର ଅଙ୍ଗନବାଡ଼ି କର୍ମୀ ଏକତ୍ରିତ ହୋଇ ଧାରଣା ଦେଇଥିଲେ ।
ପ୍ରତିଦିନ ଗୋଟିଏ ଲେଖାଏଁ ବ୍ଲକର କର୍ମୀ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରହ ଧାରଣା ଦେଉଥିବା ବେଳେ ବନ୍ଦ ହୋଇପଡିଛି ଅଙ୍ଗନବାଡ଼ି କେନ୍ଦ୍ର । ଏଯାବତ ସେମାନଙ୍କ ଦାବିକୁ ବିଚାରକୁ ମଧ୍ୟ ନିଆଯାଇ ନାହିଁ । ଏହି ସମୟରେ ପ୍ରଶାସନ ଗାଁଗାଁ ବୁଲି ଛତୁଆ ବାଣ୍ଟିବା ଆରମ୍ଭ କରିଛି । ଏହାଦେଖି ତାତିଛନ୍ତି ଅଙ୍ଗନବାଡ଼ି କର୍ମୀ । ଏପରିକି ଛତୁଆ ଗାଡିକୁ ଅଟକାଇ ପ୍ରଶାସନକୁ ବିରୋଧ କରିଥିଲେ କର୍ମୀମାନେ । ଅଙ୍ଗନବାଡ଼ିକୁ ଛାଡି ପ୍ରଶାସନ ଯଦି ଛତୁଆ ବାଣ୍ଟୁଛି ତାହେଲେ ପିଲାଙ୍କୁ ରନ୍ଧା ଖାଦ୍ୟ ଓ ଅଣ୍ଡା ଦେବା ପାଇଁ ମଧ୍ୟ ଦାବି କରିଥିଲେ କର୍ମୀମାନେ । ଏହାକୁ ନେଇ ବେହେରାଗୁଡା ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ଖବରପାଇ ସୁପରଭାଇଜର ଓ ସିଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ କର୍ମୀମାନେ ଗାଡିକୁ ଛାଡିଥିଲେ ।