ନବରଙ୍ଗପୁର:ରିଲ୍ସ ପାଇଁ ଶୁକ୍ରବାର ସ୍କୁଲପିଲା ଛାତରୁ ଡେଇଁବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଆଜି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ନବରଙ୍ଗପୁରରେ ବସିଲା କଙ୍ଗାରୁ କୋର୍ଟ । ଖୁଣ୍ଟରେ ବାନ୍ଧି ଅକଥନୀୟ ନିର୍ଯ୍ୟାତନା ଦେବା ସହ ନାବାଳିକାଙ୍କୁ ଜୋତାମାଳ ପିନ୍ଧାଇଲେ ଲୋକେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ପୋଲିସ । ନବରଙ୍ଗପୁର ଜିଲ୍ଲାଥାନା ଅନ୍ତର୍ଗତ କୁନ୍ଦେଇ କାଉଡଲା ପଞ୍ଚାୟତରୁ ସାମ୍ନାକୁ ଆସିଛି ଏଭଳି ସମ୍ବେଦନଶୀଳ ଘଟଣା ।
ଅଭିଯୋଗ ଅନୁସାରେ, କୁନ୍ଦେଇ କାଉଡଲା ପଞ୍ଚାୟତର ଜଣେ ନାବାଳିକାକୁ ଚୋରି କରିବା ଅଭିଯୋଗରେ ଗ୍ରାମବାସୀ ଗୋଡାଇ ଗୋଡାଇ ଧରିଥିଲେ । ଏହାପରେ ଏକ ଖୁଣ୍ଟରେ ବାନ୍ଧି ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ । ଟଙ୍କା ଚୋରି କରିନଥିବା ନେଇ ନାବାଳିକା ଜଣଙ୍କ କହିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ । ହାତ ଗୋଡକୁ ବାନ୍ଧି ମାଡ ମାରିବା ସହ ବେକରେ ଚପଳ ମାଳ ପିନ୍ଧାଇଥିଲେ । ଅନ୍ୟପଟୋ କିଛି ଯୁବକ ସେହି ସମୟର ଭିଡିଓ ଉତ୍ତୋଳନ କରିବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହି ଘଟଣାକୁ ନେଇ ଅପରାହ୍ନରେ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା ।